ଲୋକ ସଭା ଉପବାଚସ୍ପତି ପଦ ପାଇଁ ୱାଇଏସ୍‌ଆର ସିପି ଅରାଜି : ଶିବସେନା, ବିଜେଡି ଉପରେ ନଜର

ଭୁବନେଶ୍ୱର,୨୪ା୬(ବ୍ୟୁରୋ) : ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ଥିବା ୱାଇଏସ୍‌ଆର କଂଗ୍ରେସ ପାର୍ଟି ଲୋକ ସଭା ଉପବାଚସ୍ପତି ପଦ ଗ୍ରହଣ କରି ନ ପାରେ। ଅବିଭକ୍ତ ଆନ୍ଧ୍ରର ବିଭାଜନ ପରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ରାଜନୀତି ହୋଇଆସୁଛି। ହେଲେ ତାହା ଅଦ୍ୟାବଧି ପୂରଣ ହୋଇନାହିଁ। ତେଣୁ ୱାଇଏସ୍‌ ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଦୀର୍ଘବର୍ଷର ଉଦ୍ୟମ ପରେ ରାଜ୍ୟରେ କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସ ପାର୍ଟି ଲୋକ ସଭାରେ ଉପବାଚସ୍ପତି ପଦ ଗ୍ରହଣ କରିବାକୁ ଉପଯୁକ୍ତ ମଣୁନାହିଁ। କେନ୍ଦ୍ର ଯଦି ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବ ତେବେ ୱାଇଏସ୍‌ଆର ଉପବାଚସ୍ପତି ପଦ ଗ୍ରହଣ କରିପାରେ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ସାମ୍ପ୍ରତିକ ଜାତୀୟ ରାଜନୀତିକୁ ଅନୁଧ୍ୟାନ କଲେ କୌଣସି ରାଜ୍ୟକୁ କେନ୍ଦ୍ର ସରକାର ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେଇ ନ ପାରନ୍ତି। ଆନ୍ଧ୍ରରେ ୱାଇଏସ୍‌ଆର ପରି ବିହାରରେ ଜେଡି(ୟୁ) ଏବଂ ଓଡ଼ିଶାରେ ବିଜେଡି ଏହି ପାହ୍ୟା ପାଇଁ ଦାବି କରୁଛନ୍ତି। ହେଲେ ୱାଇଏସ୍‌ଆର ସିପି ଯଦି ଉପବାଚସ୍ପତି ପଦକୁ ମନା କରିଦିଏ, ତେବେ ଶିବସେନା ଏବଂ ବିଜେଡି ଏହାକୁ ନେଇ ଭାଜପା ସହ ଆଲୋଚନା କରିପାରନ୍ତି ବୋଲି ଜଣାପଡିଛି।
ଶିବସେନା ଏନ୍‌ଡିଏର ପୁରୁଣା ସହଯୋଗୀ ରହିଆସିଛି। କିଛିମାସ ପରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଶିବସେନା ଉପବାଚସ୍ପତି ପଦକୁ ନେଇ ଦୃଢ଼ ଦାବି କରିବା ସ୍ବାଭାବିକ। କିଛିଦିନ ପୂର୍ବେ ଜାତୀୟ ଗଣମାଧ୍ୟମରେ ବିଜେଡିର ଭର୍ତ୍ତୃହରି ମହତାବ ଉପବାଚସ୍ପତି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ଏହି ଚର୍ଚ୍ଚାକୁ ନେଇ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ପ୍ରତିକ୍ରିୟା ରଖିଥିଲେ। ବିଜେଡି ଏନ୍‌ଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲା, ତେଣୁ ଉପବାଚସ୍ପତି ପଦ ବିଜେଡିକୁ ଦିଆଯିବା ଠିକ୍‌ ନୁହେଁ ବୋଲି ସଞ୍ଜୟ ମତ ରଖିଥିଲେ। କିନ୍ତୁ ରାଜନୈତିକ ସ୍ଥିତି ଦ୍ରୁତଗତିରେ ବଦଳୁଛି। ନିକଟରେ ଓଡ଼ିଶାରେ ୩ଟି ରାଜ୍ୟ ସଭା ପଦ ପାଇଁ ପ୍ରାର୍ଥୀ ଘୋଷଣା ପରେ ବିଜେଡି ଭାଜପା ମଧ୍ୟରେ ଥିବା ଭିତିରିଆ ସମ୍ପର୍କ ପଦାରେ ପଡିଛି। ତେଣୁ ସଂଖ୍ୟାବଳ ଥାଇ ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିବା ବିଜେଡି ଉପବାଚସ୍ପତି ପଦ ପାଇଁ ଦାବି କରିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

Share