ଲୋକ ସଭା ବାଚସ୍ପତି ନିର୍ବାଚନ: ଚର୍ଚ୍ଚାରେ ଜୁଏଲ

ଭୁବନେଶ୍ୱର, ୪।୬(ବ୍ୟୁରୋ): ଭାଜପା ପରିଚାଳିତ ଏନ୍‌ଡିଏ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ଆସନ୍ତା ୧୭ ତାରିଖରେ ନୂଆ ଲୋକ ସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ତା’ ପୂର୍ବରୁ ଆସନ୍ତା ୫ ବର୍ଷ ସକାଶେ ଲୋକ ସଭାର ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ବାଚସ୍ପତି ପଦବୀ ପାଇଁ ବହୁ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଓଡ଼ିଶାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ଲୋକ ସଭା ସଦସ୍ୟ ଜୁଏଲ ଓରାମ ଏହି ଦୌଡ଼ରେ ଆଗରେ ଅଛନ୍ତି। ଓଡ଼ିଶାରୁ ୨ ଜଣଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ଏଥର ଜୁଏଲ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। ଜୁଏଲ ଜଣେ ଆଗଧାଡିର ଆଦିବାସୀ ନେତା ଏବଂ ସେ ପାଞ୍ଚଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଜୁଏଲ ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଦୀର୍ଘ ଅଭିଜ୍ଞତାକୁ ଆଧାର କରି ତାଙ୍କୁ ଏହି ପଦବୀ ମିଳିବା ନେଇ ଦଳୀୟ ମହଲରେ ଆଲୋଚନା ଚାଲିଛି। ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କୁ ସନ୍ତୁଷ୍ଟ କରିବା ଲାଗି ତାଙ୍କୁ ବାଚସ୍ପତି ପଦବୀରେ ବସାଇବା ପାଇଁ ଭାଜପା ଚିନ୍ତା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ତେବେ ଏହି ଦୌଡରେ ଜୁଏଲଙ୍କ ବ୍ୟତୀତ ରାଧାମୋହନ ସିଂ, ବୀରେନ୍ଦ୍ର କୁମାର, ଏସ୍‌.ଏସ୍‌. ଆଲୁଓ୍ବାଲିଆ ଏବଂ ରମେଶ ଜିଗାଜିନାଗିଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

Share