Categories: ଜାତୀୟ

ଲୋକ ସଭା, ୫ ବିଧାନସଭାରେ କଣ୍ଟ୍ରୋଲ ରୁମ୍‌

ନୂଆଦିଲ୍ଲୀ,୨୬।୪(ପି.ଟି.): କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ଏମ୍‌ପି, ବିଧାୟକ ଓ ଜନସାଧାରଣଙ୍କ ସହ ସମନ୍ବୟ ରକ୍ଷା ଲାଗି ଲୋକ ସଭା ଏବଂ ୫ ରାଜ୍ୟ ବିଧାନସଭାରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଗତ ୨୧ ତାରିଖରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟ ବିଧାନସଭାଗୁଡ଼ିକର ପ୍ରିଜାଇଡିଂ ଅଫିସରଙ୍କ ସହ ଆଲୋଚନା କରିଥିଲେ। ଲକ୍‌ଡାଉନ ଯୋଗୁ ବାହାରେ ଅଟକି ଥିବା ଦାଦନ ଶ୍ରମିକ, ଛାତ୍ରୀଛାତ୍ରଙ୍କୁ ସହାୟତା କରିବା ଲାଗି ଲୋକ ସଭା ଓ ବିଧାନସଭା ପରିସରରେ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ବାଚସ୍ପତି ପ୍ରସ୍ତାବ ଦେଇଥିଲେ। କରୋନା ମହାମାରୀର ମୁକାବିଲାରେ ଏମ୍‌ପି, ବିଧାୟକ ଓ ବିଧାନ ପରିଷଦ ସଦସ୍ୟ ଆଗଧାଡ଼ିରେ ରହି କାର୍ଯ୍ୟ କରିବା ଆବଶ୍ୟକ। ମହାମାରୀ ବେଳେ ଲୋକଙ୍କୁ ସହାୟତା କରିବାରେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି। ଲୋକ ସଭା ସଚିବାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ୍‌ ପାଇଁ ଟେଲିଫୋନ ନମ୍ବର ରହିଛି +୯୧ ୧୧୨୩୦୩୫୧୬୦ ଏବଂ +୯୧ ୧୧୨୩୦୩୫୧୬୩। ଓଡ଼ିଶା, ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ଦିଲ୍ଲୀ ବିଧାନସଭା ସଚିବାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

Share