ଲୋଡର୍‌ ଚାଳକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ଆନ୍ଦୋଳନ

ଝାରସୁଗୁଡ଼ା ଅଫିସ/ଲଖନପୁର,୧୧।୧୦(ଡି.ଏନ.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍‌ସିଏଲ୍‌ର ଚିଙ୍ଗୁଡିଗୁଡା ରେଲ୍‌ଓ୍ବେ ସାଇଡିଂରେ ଗୁରୁବାର ରାତିରେ ଜଣେ ଲୋଡର୍‌ ଚାଳକଙ୍କୁ ସାପ କାମୁଡି ଦେଇଥିଲା । ଏଥିରେ ଚାଳକ ରାଧେ ଯାଦବ(୨୯) ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବେଲପାହାଡ ଟାଟା କ୍ରୋସାକୀ ହସ୍ପିଟାଲ ପରେ ଝାରସୁଗୁଡ଼ା ଓ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଖବରପାଇ ବୁର୍ଲା ଫାଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଇଛି । ମୃତ୍ୟୁ ଖବର ପ୍ରଚାର ହେବା ପରେ ଚିଙ୍ଗୁଡିଗୁଡା ରେଲ୍‌ଓ୍ବେ ସାଇଡିଂ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।