Categories: ଜାତୀୟ

ଲୋପ ପାଇବାକୁ ବସିଛି ଭାରତର ୧୯୭ ଭାଷା

ନୂଆଦିଲ୍ଲୀ,୧୦।୮: ଭାରତର ୧୯୭ ଭାଷା ଲୋପ ପାଇବାକୁ ବସିଛି। ସେଥିମଧ୍ୟରୁ ୧୦ଟି ବିଭିନ୍ନ ଭାଷା ସମ୍ପର୍କରେ ମାତ୍ର ଶହେ ଜଣେ ସୂଚନା ପ୍ରଦାନକାରୀ ରହିଛନ୍ତି। ଏସବୁ ଭାଷା ଆଉ ବ୍ୟବହାର କରାଯାଉନି। ଏନେଇ ୟୁନେକ୍ସୋ ଭାଷା ଆଟଲାସ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ସମ୍ପ୍ରତି ପୃଥିବୀରେ ପ୍ରାୟ ୭ ହଜାର ଭାଷା ରହିଛି। ସେହିପରି ଭାରତରେ ଏବେ ୪୫୦ ଭାଷା ରହିଛି। ତେବେ ସେଥିମଧ୍ୟରୁ ୧୯୭ଟି ଭାଷାର ବ୍ୟବହାର ଆଉ ଲୋକେ କରୁ ନାହାନ୍ତି। ଏସବୁ ଭାଷାରେ କଥାବାର୍ତ୍ତା ଧୀରେଧୀରେ କମିବାରେ ଲାଗିଛି। ଭୌଗୋଳିକ ସ୍ଥିତି ଆଧାରରେ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାଷାରେ କଥାବାର୍ତ୍ତା କରାଯାଇଥାଏ। ଏହାକୁ ନେଇ ସମ୍ପୃକ୍ତ ସ୍ଥାନର ଚାଲିଚଳଣ ମଧ୍ୟରେ ବି ତୁଳନାତ୍ମକ ପାର୍ଥକ୍ୟ ଦେଖିବାକୁ ମିଳିଥାଏ। ମାତ୍ର ଭାଷା ଲୋପ ପାଇଲେ ଚାଲିଚଳଣି ମଧ୍ୟ ହଜିଯାଇଥାଏ। ଲୋପ ପାଇବାକୁ ବସିଥିବା ଭାରତୀୟ ଭାଷା ମଧ୍ୟରେ ଅହୋମ, ଏଣ୍ଡ୍ରୋ, ରଙ୍ଗକାସ, ସେଙ୍ଗମଇ, ତୋଲଚା ଆଦି ରହିଛି। ଏସବୁ ଭାଷା ହିମାଳୟ ପାର୍ବତ୍ୟାଞ୍ଚଳରେ ଲୋକମାନେ ବ୍ୟବହାର କରିଥାନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share