ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ ବନଜାତ ଦ୍ରବ୍ୟକୁ ଆଦିବାସୀମାନେ ଜଙ୍ଗଲରୁ ସଂଗ୍ରହ କରି ବିକ୍ରି କରନ୍ତି। ଝୁଣା ମୁଖ୍ୟତଃ ଶାଳଗଛରୁ ମିଳେ ଓ ଏକଦା ଶାଳ ଜଙ୍ଗଲରେ ଭରପୁର ଥିଲା କୋରାପୁଟ ଜିଲା। ମାଫିଆମାନେ କାଠପଟା ପାଇଁ ଶାଳ ଗଛ କାଟୁଛନ୍ତି। ଫଳରେ କୋରାପୁଟ ଜିଲା ସମେତ ଜୟପୁର ବନଖଣ୍ଡରେ ଶାଳଗଛ ଶୂନ୍ୟ ହେବାରେ ଲାଗିଛି। ଏହି କାରଣରୁ ଏହି ଗଛରୁ ମିଳୁଥିବା ଝୁଣା ମଧ୍ୟ ଏବେ ଦୁର୍ଲଭ ଦ୍ରବ୍ୟ ପାଲଟୁଛି।
ଶାଳଗଛର ଗଣ୍ଡି କଟାଗଲେ ସେଥିରୁ ନିର୍ଗତ ହେଉଥିବା ଅଠାଳିଆ ପଦାର୍ଥ ଶୁଖି ଝୁଣାରେ ପରିଣତ ହୁଏ। ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶାଳଗଛରୁ ଏହି ତରଳ ପଦାର୍ଥ ବାହାରେ। ଝୁଣା ସବୁ ଧର୍ମର ପୂଜାକାର୍ଯ୍ୟରେ ଲାଗେ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ଝୁଣାର ଧୂଆଁ ଅନେକ କ୍ଷତିକାରଣ ଜୀବାଣୁ ନଷ୍ଟକରି ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ। ଏହାକୁ ଟୋଲାତେଲରେ ଗରମ କରି ଗୋଡ଼ହାତ ଫୁଲାସ୍ଥାନରେ ମାଲିସ କଲେ ଫୁଲା କମିଯାଏ। ଘରେ କେହି ବସନ୍ତ, ହାଡ଼ଫୁଟି ରୋଗରେ ଆକ୍ରାନ୍ତ ଥିଲେ ଝୁଣାର ଧୂଆଁ ଦିଆଯାଇଥାଏ। ଏଥିରୁ ଧୂପକାଠି ମଧ୍ୟ ପ୍ରସ୍ତୁତ ହୁଏ।
କୋରାପୁଟ ଜିଲା ଜୟପୁର ବନଖଣ୍ଡର ରାମଗିରି, କୁନ୍ଦୁରା, କୋଟପାଡ଼ ତଥା ଓଡ଼ିଶା-ଛତିଶଗଡ଼ ସୀମା ସାବେରି ନଦୀକୂଳରେ ବିସ୍ତୃତ ଶାଳବଣ ରହିଛି। ଏହି ଅଞ୍ଚଳରେ ମିଳୁଥିବା ଝୁଣା ଅତି ଉତ୍କୃଷ୍ଟ ମାନର ହୋଇଥିବାରୁ ଏହାର ଚାହିଦା ଅଧିକ ା ଆଦିବାସୀ ବହୁ କଷ୍ଟରେ ଝୁଣା ସଂଗ୍ରହ କରି ଆଣୁଥିବା ବେଳେ ଚୋରା ବେପାରୀ ସେମାନଙ୍କୁ ପ୍ରଲୋଭିତ କରି କମ୍ ଦରରେ ଖରିଦ କରି ଅନ୍ୟଠି ଚଢ଼ାଦରରେ ବିକ୍ରି କରିଥାନ୍ତି ା ଫଳରେ ଝୁଣା ସଂଗ୍ରହ କରି ଆଣୁଥିବା ଆଦିବାସୀ ଉଚିତ ପ୍ରାପ୍ୟ ପାଇପାରୁ ନାହାନ୍ତି। ୧୯୭୨ ଓ ୧୯୮୦ ଜଙ୍ଗଲ ଅଧିନିୟମ ଅନୁଯାୟୀ ୨ରୁ ୩ କିଲୋ ପର୍ଯ୍ୟନ୍ତ ଝୁଣା ନେବାର କୌଣସି ପ୍ରତିବନ୍ଧକ ନ ଥିବାରୁ ଚୋରା ବେପାରୀ ଛୋଟ ସିମେଣ୍ଟ ବସ୍ତାରେ ଝୁଣା ବାହାରକୁ ଚାଲାଣ କରୁଛନ୍ତି। ସରକାରୀ ସ୍ତରରେ ଝୁଣାର ଉପତ୍ାଦନ ତଥା ବିକ୍ରିବଟା ତଥା ବଜାର ବ୍ୟବସ୍ଥା ନାହିଁ। ବର୍ତ୍ତମାନ ସରକାର ଲଘୁ ବନଜାତ ଦ୍ରବ୍ୟକୁ ପଞ୍ଚାୟତ ଅଧୀନକୁ ଦେଇଥିବାରୁ ପଞ୍ଚାୟତକୁ ହିଁ ରାଜସ୍ବ ଦେଇ ଝୁଣା ସଂଗ୍ରହ କରାଯାଏ। କୋରାପୁଟ ଜିଲା ତଥା ଜୟପୁର ବନଖଣ୍ଡରେ ଯେତିକି ପରିମାଣରେ ଶାଳଗଛ କଟାଯାଉଛି, ସେହି ଅନୁସାରେ ତାହା ରୋପଣ କରାଯାଉ ନାହିଁ କି ଶାଳବଣ ସୃଷ୍ଟି ପାଇଁ ବନ ବିଭାଗ ପାଖରେ କିଛି ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ଧୀରେଧୀରେ ଶାଳ ଜଙ୍ଗଲ ସଙ୍କୁଚିତ ହେବାରେ ଲାଗିଛି ା ଏ ସମ୍ପର୍କରେ ଜୟପୁର ଡିଏଫ୍ଓ ଅଶି୍ବନ କରଙ୍କୁ ପଚାରିବାରୁ ସେ କହିଥିଲେ ଯେ ବର୍ତ୍ତମାନ ରହିଥିବା ଶାଳ ଜଙ୍ଗଲକୁ ସୁରକ୍ଷା ଦିଆଯାଇଛି ା ଅନ୍ୟ ଜଙ୍ଗଲ ପରି ଶାଳ ଗଛ ରୋପଣ କରି ଜଙ୍ଗଲ ସୃଷ୍ଟି କରାଯାଉଛି ା