Categories: ଖେଳ

ଲୋମାଚେଙ୍କୋଙ୍କୁ ଡବ୍ଲ୍ୟୁବିସି ଟାଇଟଲ

ଲଣ୍ଡନ, ୧ା୮ (ଏଏଫ୍‌ପି)- ବିଶ୍ୱର ଶ୍ରେଷ୍ଠ ‘ପାଉଣ୍ଡ ଫର୍‌ ପାଉଣ୍ଡ’ ଫାଇଟର ରୂପେ ପରିଚିତ ଭାସିଲ ଲୋମାଚେଙ୍କୋ ଏଠାରେ ଏକ ରୋମାଞ୍ଚକ ମୁକାବିଲାରେ ବ୍ରିଟିଶ ଚ୍ୟାଲେଞ୍ଜର ଲ୍ୟୁକ୍‌ କ୍ୟାମ୍ପବେଲ୍‌ଙ୍କୁ ହରାଇ ଡବ୍ଲ୍ୟୁବିସି ଲାଇଟ୍‌ ଓ୍ବେଟ୍‌ ଟାଇଟଲ ହାସଲ କରିଛନ୍ତି। ୩୧ ବର୍ଷୀୟ ୟୁକ୍ରେନୀୟ ବକ୍ସର ତାଙ୍କ ପ୍ରଫେଶନାଲ କ୍ୟାରିୟରରେ ମାତ୍ର ୧୪ଟି ବାଉଟ୍‌ରେ ତିନୋଟି ପୃଥକ୍‌ ପୃଥକ୍‌ ଓଜନ କାଟେଗୋରୀରେ ବିଶ୍ୱ ଚାମ୍ପିୟନ ହୋଇପାରିଛନ୍ତି। ପୂର୍ବରୁ ଡବ୍ଲ୍ୟୁବିଏ ଏବଂ ଡବ୍ଲ୍ୟୁବିଓ ଟାଇଟଲ ଜିତିସାରିଛନ୍ତି। ଘାନାର ରିଚାର୍ଡ କୋମେଙ୍କଠାରୁ ଆଇବିଏଫ୍‌ ଟାଇଟଲ ଛଡ଼ା ଆଣି ସମସ୍ତ ଚାରୋଟି ପ୍ରମୁଖ ବେଲ୍ଟ ହାସଲ କରିବା ଲକ୍ଷ୍ୟରେ ଅଛନ୍ତି। କ୍ୟାମ୍ପବେଲ୍‌ କହିଛନ୍ତି, ଲଢେଇରେ କିପରି ଜିତିପାରିବି ସେଥିଲାଗି ମୁଁ ଟ୍ରେନିଂ ନେଇଥିଲି। ମାତ୍ର ୨୦୧୨ ଅଲିମ୍ପିକ ସ୍ବର୍ଣ୍ଣ ବିଜେତା ଲୋମାଚେଙ୍କୋ ମୋର ସମସ୍ତ ରଣକୌଶଳକୁ ସହଜରେ ହାତେଇ ନେଇଥିଲେ। ପ୍ରକୃତରେ ସେ ଜଣେ ସ୍ବତନ୍ତ୍ର ଫାଇଟର। ଲୋମାଚେଙ୍କୋ ତୃତୀୟ ରାଉଣ୍ଡରେର ପଞ୍ଚ ମାରିବା ଆରମ୍ଭ କରିଦେଇଥିଲେ। ଗୋଟିଏ ପଞ୍ଚ ତାଙ୍କ ମୁଣ୍ଡରେ ଆଘାତ ଦେଇଥିଲା। ଚତୁର୍ଥ ରାଉଣ୍ଡରେ ଏକ ପଞ୍ଚ୍‌ କ୍ୟାମ୍ପବେଲଙ୍କ ଶରୀରରେ ଲାଗିଥିଲା। ମାତ୍ର ଏଥିରେ ବିଚଳିତ ହୋଇପଡ଼ି ନ ଥିଲେ। ୭ମ ରାଉଣ୍ଡରେ ଲୋମାଚେଙ୍କୋ କ୍ୟାମ୍ପବେଲଙ୍କ ଶରୀରକୁ ଏବଂ ମୁଣ୍ଡକୁ ଗୋଟିଏ ଲେଖାଏଁ ପଞ୍ଚ ଲଗାଇ ଥିଲେ। ଏହା ସତ୍ତ୍ୱେ ବ୍ରିଟିଶ ବକ୍ସର ଜବାବ ଦେବାକୁ ଚେଷ୍ଟା କରିଥିଲେ। ଉଭୟେ ଅବଶିଷ୍ଟ ୩ ରାଉଣ୍ଡ ଲଢେଇ ଜାରି ରଖି ଦର୍ଶକଙ୍କୁ ଆକର୍ଷିତ କରି ରଖିଥିଲେ।

Share