ପୂର୍ବ-ଉତ୍ତର ଭାରତରେ ସୋମବାର ଆଡ଼ମ୍ବରରେ ଲୋରି ପର୍ବ ପାଳନ କରାଯାଇଛି। ଜାନୁୟାରୀ ୧୩ରେ ପଞ୍ଜାବ ଓ ହରିୟାଣାରେ ଏହି ପର୍ବ ପାଳନ କରାଯାଉଛି। ଲୋକମାନେ ବେଶ୍ ଉତ୍ସାହର ସହ ଏହି ପର୍ବକୁ ପାଳନ କରୁଥିବା ବେଳେ ପ୍ରଥମେ ନିଜ ସମ୍ପର୍କୀୟଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ବରିଷ୍ଠଙ୍କଠାରୁ ଆଶୀର୍ବାଦ ନେଇଥାନ୍ତି। ଏହାପରେ ସନ୍ଧ୍ୟାରେ ଖୋଲାସ୍ଥାନରେ ଲୋରି ଜଳାଇଥାନ୍ତି। ଏହି ପବିତ୍ର ଅଗ୍ନିରେ ବାଦାମ, ଲଡୁ ଓ ରାଶିକୁ ସମର୍ପିତ କରି ଏହାର ଚାରିପଟେ ପରିକ୍ରମା କରିଥାନ୍ତି। ଏହାପରେ ନାଚଗୀତର ଆସର ଜମିଥାଏ। ତେବେ ଏହିସବୁକୁ ଅଗ୍ନିରେ ପକାଇବା ପଛରେ ବି କିଛି କାରଣ ରହିଛି।
* ଲୋରିର ପର୍ବ ଫସଲ ବୁଣିବା ଓ ଅମଳ କରିବା ସହ ଜଡିତ। ଲୋରି ଅଗ୍ନିରେ ରବି ଫସଲରେ ଅମଳ ହୋଇଥିବା ରାଶି, ରେବଡି, ବାଦାମ, ଗୁଡର ଲଡୁକୁ ସମର୍ପଣ କରାଯାଇଥାଏ। କାରଣ ଚଳିତବର୍ଷର ଫସଲ ସୂର୍ଯ୍ୟ ଓ ଅଗ୍ନି ଦେବତାଙ୍କ ଦୟାରୁ ଭଲ ହୋଇଛି ବୋଲି ସେମାନେ ତାଙ୍କୁ ଏହି ଜରିଆରେ କୃତଜ୍ଞତା ଜଣାଇଥାନ୍ତି।
* ସେହିପରି ଏହି ପର୍ବ ପଛରେ ଧାର୍ମିକ ମାନ୍ୟତା ମଧ୍ୟ ରହିଛି। କୁହାଯାଏ ଯେତେବେଳେ ଦେବୀ ସତୀଙ୍କ ବାପା ରାଜା ଦକ୍ଷ ପ୍ରଜାପତି ଏକ ମହାଯଜ୍ଞ ଅନୁଷ୍ଠିତ କରିଥିଲେ, ସେତେବେଳେ ଭଗବାନ ଶିବଙ୍କ ବିନା ଅନୁମତିରେ ସତୀ ସେଠାକୁ ଚାଲିଯାଇଥିଲେ। ହେଲେ ନିଜ ଝିଅକୁ ସ୍ବାଗତ କରିବା ପରିବର୍ତ୍ତେ ଦକ୍ଷରାଜା ତାଙ୍କୁ ଓ ତାଙ୍କ ସ୍ବାମୀ ମହାଦେବଙ୍କୁ ଅପମାନିତ କରିଥିଲେ। ଏହି ଅପମାନରେ କ୍ରୋଧିତ ହୋଇ ଦେବୀ ସତୀ ନିଜକୁ ଯଜ୍ଞ କୁଣ୍ଡରେ ଦାହ କରିଥିଲେ।
* ଦେବୀ ସତୀଙ୍କ ଆତ୍ମଦାହ ପରେ ଭଗବାନ ଶିବ ଦକ୍ଷ ପ୍ରଜାପତିଙ୍କୁ କଠୋର ଦଣ୍ଡ ଦେଇଥିଲେ। ଏହାପରେ ଦକ୍ଷରାଜା ନିଜର ଭୁଲ୍ ପାଇଁ ପଶ୍ଚାତ୍ତାପ କରିବା ସହ ଶିବଙ୍କୁ କ୍ଷମା ମାଗିଥିଲେ। ଯେତେବେଳେ ସତୀଙ୍କର ପାର୍ବତୀ ରୂପରେ ପୁନର୍ଜନ୍ମ ହୋଇଥିଲା, ସେତେବେଳେ ଏହି ଲୋରି ଅବସରରେ ସେ ପାର୍ବତୀଙ୍କୁ ତାଙ୍କ ଶ୍ୱଶୁରଘରକୁ ଉପହାର ସ୍ବରୂପ ଦେଇଥିଲେ। ସେହି ସମୟରୁ ଏହି ପର୍ବରେ ନବବିବାହିତାଙ୍କୁ ତାଙ୍କ ବାପଘରୁ ବସ୍ତ୍ର ଓ ଉପହାର ମିଳିଥାଏ। ଆଉ ନବବିବାହିତା ଯୋଡି ଏହି ଅଗ୍ନିର ପରିକ୍ରମା କରି ଦାମ୍ପତ୍ୟ ଜୀବନ ଖୁସି ପାଇଁ କାମନା କରିଥାନ୍ତି।