ଲୋୟର ଇନ୍ଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା: ବହୁ ଘର ଦ୍ୱାରା ଭାଙ୍ଗିଲା

ନୂଆପଡା ଅଫିସ,୩୦ା୮ -ନୂଆପଡା ଜିଲାରେ ମୌସୁମୀ ବର୍ଷା ହେବାର ନାଁ ନେଉ ନ ଥିବାବେଳେ ଅଚାନକ ଭାବେ ଲଘୁଚାପ ବର୍ଷା ଲୋକଙ୍କୁ ଦାଉ ସାଧୁଛି । ବିଶେଷ କରି ବୋଡେନ ବ୍ଲକ ଲୋୟର ଇନ୍ଦ୍ର ନଦୀ ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ହୋଇ ଲୋକଙ୍କ ବହୁ କ୍ଷୟକ୍ଷତି ଘଟିଥିବା ଦେଖାଯାଇଛି । ଏହି ବ୍ଲକ ଅନ୍ତର୍ଗତ ବୋଲଦା ଗାଁରେ ବ୍ୟାପକ କ୍ଷତି ଘଟିଛି । ବହୁ ଲୋକଙ୍କ ଘର ଦ୍ୱାରା ଭାଙ୍ଗି ଉଜୁଡିଯାଇଛି ।
ଗତ ୪ରୁ ୫ ଦିନ ହେବ ଏହି ଅଞ୍ଚଳରେ ଅଚାନକ ଭାବେ ବର୍ଷା ମାଡିଆସୁଛି । ଭିନ୍ନ ଭିନ୍ନ ଯାଗାରେ କମ ବେଶୀ ବର୍ଷା ଲାଗି ରହୁଛି। ଫଳରେ ଲୋକେ ଘରୁ ବାହାରିପାରୁନାହାନ୍ତି। ବୋଲଦା ଗାଁରେ ଲଗାଣ ବର୍ଷା ହେବା ଫଳରେ ଘରେ ରାତି ଶୋଇଥିବା ସମୟରେ ସୈଳେନ୍ଦ୍ର କରୁଆଁ ନାମକ ଜଣେ ଚାଷୀଙ୍କ ଘର କାନ୍ଥ ଭାଙ୍ଗି ପଡିଛି। ଏଥିରେ ସୈଳେନ୍ଦ୍ର ସାମାନ୍ୟ ଆହତ ହୋଇଥିବାବେଳେ ତାଙ୍କର ଦୁଇ ଶିଶୁ ଟୁନା ଏବଂ ବବି ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହିଭଳି ଗାଁର ୪/୫ଟି ଘର ଭାଙ୍ଗି ପଡିଛି । ଗରିବ ପରିବାର ଲୋକେ ଖାଇବା ପିଇବାକୁ ନ ପାଇ ଅନ୍ୟତ୍ର ଆଶ୍ରୟ ନେଇଥିବା ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି। ଏହା ଉପରେ ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ନିଃସହାୟ ପରିବାରକୁ ଘର ଯୋଗାଇ ଦେବା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।