Categories: ଖେଳ

ଲୌରିୟସ କ୍ରୀଡ଼ା ପୁରସ୍କାର: ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ମେସି, ହାମିଲଟନ ଯୁଗ୍ମ ବିଜେତା

ବର୍ଲିନ, ୧୮।୨ (ପି.ଟି.)- ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ବ୍ରିଟିଶ୍‌ ଫର୍ମୁଲା ଓ୍ବାନ୍‌ ଡ୍ରାଇଭର ଲୁଇସ ହାମିଲଟନ୍‌ ଓ ଆର୍ଜେଣ୍ଟିନା ଫୁଟ୍‌ବଲ ଷ୍ଟାର୍‌ ଲିଓନେଲ ମେସି ଯୁଗ୍ମ ଭାବେ ‘ଲୌରିୟସ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ଉଭୟ ହାମିଲଟନ୍‌ ଓ ମେସି ସମାନ ସଂଖ୍ୟକ ଭୋଟ୍‌ ପାଇଥିଲେ। ‘ଲୌରିୟସ କ୍ରୀଡ଼ା ପୁରସ୍କାର’ର ୨୦ ବର୍ଷର ଇତିହାସରେ ପ୍ରଥମଥର ଲାଗି ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। କ୍ୟାରିୟରରେ ୬ଥର ଫିଫା ଶ୍ରେଷ୍ଠ ଖେଳାଳି ଫୁରସ୍କାର ଜିତିଥିବା ମେସି ପ୍ରଥମ ଫୁଟବଲର୍‌ ଭାବେ ଏହି ସମ୍ମାନଜନକ ଟ୍ରଫି ଜିତିଛନ୍ତି। ସେହିଭଳି କୌଣସି ଦଳୀୟ ଖେଳାଳି ଭାବେ ଏହି ଟ୍ରଫି ଜିତିବା ପ୍ରଥମ ଘଟଣା ରହିଥିଲା। ତେବେ ଏହି ରଙ୍ଗାରଙ୍ଗ ଉତ୍ସବରେ ମେସି ଉପସ୍ଥିତ ହୋଇ ନ ପାରି ନିଜର ଏକ ଭିଡିଓ ମେସେଜ ପଠାଇ ଦେଇଥିଲେ। ଅପରପକ୍ଷରେ ୨୦୧୯ ବିଶ୍ୱ

ଚାମ୍ପିୟନଶିପ୍‌ରେ ଏକାକୀ ୫ଟି ସ୍ବର୍ଣ୍ଣ ପଦକ ଜିତିଥିବା ଆମେରିକା ଜିମ୍ନାଷ୍ଟ ସିମୋନେ ବାଇଲ୍ସ ବର୍ଷର ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ଲାଭ କରିଛନ୍ତି। ବାଇଲ୍ସ ୩ୟଥର ଲାଗି ବିଶ୍ୱର ଏହି ସମ୍ମାନଜନକ ଟ୍ରଫି ଜିତିଛନ୍ତି। ପୂର୍ବରୁ ସେ ୨୦୧୭ ଓ ୨୦୧୯ରେ ‘ଲୌରିୟସ ଓ୍ବାଲର୍‌ଡ ସ୍ପୋଟର୍‌ସଓମ୍ୟାନ ଅଫ୍‌ ଦି ଇୟର’ ପୁରସ୍କାର ହାସଲ କରିଥିଲେ। ସେହିଭଳି ୨୦୧୯ ରଗ୍‌ବୀ ବିଶ୍ୱକପ୍‌ ଜିତିଥିବା ଦକ୍ଷିଣ ଆଫ୍ରିକାକୁ ‘ଲୌରିୟସ ଟିମ୍‌ ଅଫ୍‌ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ବାସ୍କେଟବଲକୁ ଅତୁଳନୀୟ ଅବଦାନ ଲାଗି ଜର୍ମାନ କିମ୍ବଦନ୍ତୀ ଡିର୍କ ନୋଓ୍ବିତର୍କି ଲାଇଫ୍‌ଟାମ୍‌ ଆଚିମେଣ୍ଟ ପୁରସ୍କାର ଜିତିଥିଲେ। ଇଂଲିସ ଅଭିନେତା ହଗ୍‌ ଗ୍ରାଣ୍ଟ ଏହି ପୁରସ୍କାର ଉତ୍ସବକୁ ପରିଚାଳନା କରିଥିଲେ। ଏହି ଅବସରରେ କିମ୍ବଦନ୍ତୀ ଆମେରିକା ବାସ୍କେଟବଲ ଖେଳାଳି ସ୍ବର୍ଗତ କୋବେ ବ୍ରାୟଣ୍ଟଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା।

Share