Categories: ଖେଳ

ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ପୁରସ୍କାର ଦୌଡ଼ରେ ତେନ୍ଦୁଲକର

ଲଣ୍ଡନ,୧୧ା୧ (ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ୨୦୦୦-୨୦୨୦ ପୁରସ୍କାର ପାଇଁ ୨୦ଜଣିଆ ସଂକ୍ଷିପ୍ତ ତାଲିକାରେ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ନାମ ରହିଛି। ତେନ୍ଦୁଲକର ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ ଓ ସଫଳତା ହାସଲ କରିଛନ୍ତି। ୬ଥର ପ୍ରଚେଷ୍ଟାରେ ତାଙ୍କ ଉପସ୍ଥିତିରେ ଭାରତ ୨୦୧୧ରେ ବିଶ୍ୱକପ୍‌ ସଫଳତା ହାସଲ କରିଥିଲା। ନିଜ ଜନ୍ମ ସହରରେ ଏହି ସଫଳତା ପରେ ତେନ୍ଦୁଲକରଙ୍କ ଆଖିରେ ଆନନ୍ଦାଶ୍ରୁ ଚାଲିଆସିଥିଲା। ସେତେବେଳେ ଭାରତୀୟ କ୍ରିକେଟ ଦଳ ବିଶେଷ କରି ତେନ୍ଦୁଲକରଙ୍କ ଉପରେ ଭରସା କରି ବିଶ୍ୱକପ୍‌ ଅଭିଯାନ କରିଥିଲା। ତେନ୍ଦୁଲକରଙ୍କ ନାମ ସୁପାରିସକୁ ନେଇ ଲୌରେସ ଏକାଡେମୀର ଜଣେ ଅନ୍ୟତମ ସଦସ୍ୟ ତଥା ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟ ଅଧିନାୟକ ଷ୍ଟିଭ୍‌ ଓ୍ବ କ୍ରିକେଟ ପାଇଁ ଏକ ଚମତ୍କାର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ଲୌରେସ ପୁରସ୍କାର ପାଇଁ ନାମ ସୁପାରିସ ହେବା ସହଜ କଥା ନୁହେଁ। ୨୦୧୧ରେ ଭାରତୀୟ କ୍ରିକେଟ ଦଳ ଖୁବ୍‌ ଭଲ ପ୍ରଦର୍ଶନ କରିଥିଲା। ଆମେ ଯେତେବେଳେ ଲୌରେସ ସ୍ପୋଟର୍‌ସ ଟିମ୍‌ ଅଫ୍‌ ଇୟର (୨୦୦୨) ପୁରସ୍କାର ଜିତିଲୁ ସେ ସମୟର ଖୁସି ମୁହୂର୍ତ୍ତ ମୋର ମନେ ପଡ଼ିଯାଉଛି। ଅଷ୍ଟ୍ରେଲିଆ କ୍ରିକେଟ ପାଇଁ ଏହା ଏକ ସ୍ମରଣୀୟ ଦିନ ଥିଲା। ଲୌରେସ ସ୍ପୋର୍ଟିଂ ମୁଭମେଣ୍ଟ ୨୦୦୦-୨୦୨୦ର ଫାଉଣ୍ଡେଶନ ତରଫରୁ ସମ୍ମାନଜନକ ଲୌରେସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ପାଇଁ ସାଧାରଣ ଭୋଟ ବ୍ୟବସ୍ଥା କରାଯାଇଛି। ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି ଖେଳପ୍ରେମୀମାନଙ୍କୁ ଭୋଟ ପ୍ରଦାନ ସୁଯୋଗ ଦିଆଯାଇଛି। ଜାନୁୟାରୀ ୧୦ ଓ ଫେବୃୟାରୀ ୧୬ ମଧ୍ୟରେ ଭୋଟ ଗ୍ରହଣ ହେବ। ଫେବୃୟାରୀ ୧୭ରେ ବର୍ଲିନରେ ଲୌରେସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଶୋ ବେଳେ ବିଜେତାଙ୍କ ନାମ ଘୋଷଣା କରାଯିବ।

Share