Categories: ଖେଳ

ଶକିବଙ୍କ ବାସନ୍ଦ ନେଇ ବାଂଲାଦେଶରେ ବିକ୍ଷୋଭ

ଢାକା, ୩୧।୧୦(ଏଏଫ୍‌ପି)- ତାରକା ଅଲରାଉଣ୍ଡର ଶକିବ ଅଲ ହାସନଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦୁଇ ବର୍ଷ ବାସନ୍ଦ କରିବା ପରେ ବାଂଲାଦେଶରେ ତାଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତାଙ୍କୁ ଲାଞ୍ଚ ନେବାକୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏ ନେଇ ଆଇସିସିକୁ ଅବଗତ କରାଇ ନ ଥିଲେ। ଫଳରେ ତାଙ୍କ ବିରୋଧରେ ଆଇସିସି ଏହି କଡ଼ା ପଦକ୍ଷେପ ନେଇଛି। ତେବେ ଏହା ପରେ ବାଂଲାଦେଶରେ ବହୁ ସଂଖ୍ୟକ ଲୋକ ତାଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରି ଆଇସିସିକୁ କଡ଼ା ସମାଲୋଚନା କରିଛନ୍ତି। ଶକିବଙ୍କ ଘରୋଇ ସହର ମଗୁରାରେ ୭୦୦ ଲୋକ ରାସ୍ତା ଉପରକୁ ଓହ୍ଲାଇ ବିଭିନ୍ନ ସ୍ଳୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବୋଲି ପୋଲିସ କହିଛି। ବିକ୍ଷୋଭକାରୀ ମାନେ ପ୍ଲାକାର୍ଡ ଧରିଥିଲେ ଓ ଏଥିରେ ଶକିବଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି ବୋଲି ଲେଖାଯାଇଥିଲା। ବାଂଲାଦେଶର ଟେଷ୍ଟ ଓ ଟି୨୦ ଅଧିନାୟକ ରହିଥିବା ଶକିବ ବାସନ୍ଦ ହେବା କାରଣରୁ ଦଳ ସହ ଭାରତ ଗସ୍ତରୁ ବଞ୍ଚିତ ହୋଇଛନ୍ତି। ସେ ଆସନ୍ତା ବର୍ଷ ଅକ୍ଟୋବର ୨୯ରେ ପ୍ରତ୍ୟାବର୍ତ୍ତନ କରିବେ। ତେବେ ସେ ଆସନ୍ତାବର୍ଷ ଅକ୍ଟୋବର ୮ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଶକିବ ଏପର୍ଯ୍ୟନ୍ତ ୫୬ଟି ଟେଷ୍ଟ, ୨୦୬ଟି ଦିନିକିଆ ଓ ୭୬ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ବାସନ୍ଦ ହେବା ପରେ ଶକିବ ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟିରୁ ଇସ୍ତଫା ଦେଇଛନ୍ତି। ଭାରତ ଗସ୍ତରେ ବାଂଲାଦେଶ ୨ଟି ଟେଷ୍ଟ ଓ ୩ଟି ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି।

Share