‘ଶକୁନ୍ତଳା ଦେବୀ’ଙ୍କ ବାୟୋପିକରେ ବିଦ୍ୟା

ମୁମ୍ବାଇ: ଫିଲ୍ମ ‘ମିଶନ ମଙ୍ଗଲ’ରେ ନିଜର ଦମ୍‌ଦାର ଅଭିନୟ ପାଇଁ ପ୍ରଶଂସିତ ହୋଇଥିବା ଡାର୍ଟି ଗର୍ଲ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ଅନୁ ମେନନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ବିଦ୍ୟା ବାଲାନ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ଫାଷ୍ଟ ଲୁକ୍‌ ପୋଷ୍ଟରକୁ ଜାରି କରାଯାଇଛି। ଏଥିରେ ସେ ବହୁତ ଆତ୍ମବିଶ୍ୱାସୀ ଦେଖାଯାଉଛନ୍ତି। ଫଟୋରେ ବିଦ୍ୟାଙ୍କୁ ତାଙ୍କ ଛୋଟ କେଶ ସହ ଶାଢ଼ୀରେ ଦେଖିବାକୁ ମିଳିଛି। ଏହା ତାଙ୍କୁ ଗ୍ଲାମରସ୍‌ ଲୁକ ଦେଇଛି। ସୂଚନାଯୋଗ୍ୟ, ଏହି ଫିଲ୍ମ ହ୍ୟୁମନ କମ୍ପ୍ୟୁଟର ଓ ମେଣ୍ଟାଲ କାଲକୁଲେଟର ଭାବେ ସାରା ବିଶ୍ୱରେ ଜଣାଶୁଣା ଥିବା ଶକୁନ୍ତଳା ଦେବୀଙ୍କ ଜୀବନ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମରେ ବିଦ୍ୟା ଜଣେ ଗଣିତ ବିଶେଷଜ୍ଞ ଭାବେ ନଜର ଆସିବେ। ଏହି ଚରିତ୍ର ପାଇଁ ସେ ବହୁ ଉତ୍ସାହିତ ଥିବା ବେଳେ ଫିଲ୍ମକୁ ସାଇନ କରିବା ପରେ ୪ ମାସ ସମୟ ନେଇଥିଲେ। କାରଣ ଶକୁନ୍ତଳା ଚରିତ୍ରକୁ ଭଲ ଭାବେ ବୁଝି ଏହାକୁ ଠିକ୍‌ ଭାବେ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରଚେଷ୍ଟା କରିଛନ୍ତି ବିଦ୍ୟା। ସୋମବାର ଲଣ୍ଡନରୁ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି।

Share