ଶକ୍ତିମନ୍ତ୍ରୀଙ୍କ ଘୋଷଣାକୁ ବିରୋଧ:ସ୍ମାର୍ଟ ସିଟିରେ ପ୍ରଥମେ ଲାଗୁ ସ୍ମାର୍ଟ ମିଟର

ସମ୍ବଲପୁର,୨୧।୮(ବ୍ୟୁରୋ): ଏଣିକି ବିଦ୍ୟୁତ୍‌ ଚୋରି ରୋକିବା ପାଇଁ ରାଜ୍ୟରେ ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଯିବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାରୁ ଏହା ଆରମ୍ଭ କରାଯିବ। ସୋମବାର ଶକ୍ତିମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହି ଘୋଷଣା କରିଥିଲେ। ତେବେ ମନ୍ତ୍ରୀଙ୍କ ଏହି ଘୋଷଣାକୁ ସମ୍ବଲପୁରରେ ତୀବ୍ର ବିରୋଧ କରାଯାଇଛି। ସ୍ମାର୍ଟ ସିଟି ଭୁବନେଶ୍ୱରରେ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ସ୍ମାର୍ଟ ପ୍ରିପେଡ୍‌ ମିଟର ବ୍ୟବହାର କରାଯାଉ। ସେଠାରେ ସବୁ ସ୍ମାର୍ଟ ବ୍ୟବସ୍ଥା ରହିଛି। ତେଣୁ ମିଟିର ମଧ୍ୟ ଲଗାଯିବା କଥା। ପ୍ରଥମେ କାହିଁକି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ରାଉରକେଲାକୁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇଛି। ପଶ୍ଚିମ ଓଡ଼ିଶାକୁ ସବୁ ସମୟରେ ଅବହେଳା କରାଯାଉଛି। ସବୁ ନିୟମ ଏଠାରୁ ଆରମ୍ଭ କରାଯାଉଛି। ଏହାଦ୍ୱାରା ପଶ୍ଚିମ ଓଡ଼ିଶାବାସୀଙ୍କୁ ହଇରାଣ କରିବାକୁ ସରକାର ଯୋଜନା କରୁଛନ୍ତି। କୌଣସି ଯୋଜନା କଲେ ପ୍ରଥମେ ଉପକୂଳ ଓଡ଼ିଶାରେ କାହିଁକି ଲାଗୁ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ସମ୍ବଲପୁର ଜିଲା ଓକିଲ ସଂଘ। ମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସ୍ମାର୍ଟ ମିଟର ଲଗାଗଲେ ବିଦ୍ୟୁତ୍‌ ଚୋରି ରୋକାଯାଇପାରିବ। ଏହାର ଅର୍ଥ ସମ୍ବଲପୁରର ଉପଭୋକ୍ତାମାନେ ବିଦ୍ୟୁତ୍‌ ଚୋରି କରୁଛନ୍ତି। ପରୋକ୍ଷ ଭାବେ ମନ୍ତ୍ରୀ ଜିଲାବାସୀଙ୍କୁ ଚୋର ବୋଲି କହିଛନ୍ତି। ଏଥିପାଇଁ ମନ୍ତ୍ରୀ ମିଶ୍ର ତୁରନ୍ତ କ୍ଷମା ମାଗନ୍ତୁ। ନଚେତ୍‌ ଆଗାମୀ ଦିନରେ ମନ୍ତ୍ରୀ ଓ ସରକାର ଓକିଲ ସଂଘର ବିରୋଧର ସମ୍ମୁଖୀନ ହେବେ ବୋଲି ସଂଘ ସଭାପତି ବିଜିତେନ୍ଦ୍ରୀୟ ପ୍ରଧାନ ଜିଲା ବାର୍‌ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ସେ ଆହୁରି କହିଲେ ଯେ ମନ୍ତ୍ରୀ ମିଶ୍ର ପ୍ରଥମେ ନିଜ ବିଧାନସଭା କ୍ଷେତ୍ର ଓ ଜିଲାରେ ଏହି ବ୍ୟବସ୍ଥା ଲାଗୁ କରି ଉଦାହରଣ ସୃଷ୍ଟି କରନ୍ତୁ। ହୀରାକୁଦ ଡ୍ୟାମ୍‌ ନିର୍ମାଣ ସମୟରେ ଜିଲାବାସୀ ବିସ୍ଥାପିତ ହୋଇଛନ୍ତି। ସେମାନେ ଘର, ଜମି ସବୁ ହରାଇଛନ୍ତି। ଅନେକ ଲୋକଙ୍କୁ ଆଜିପର୍ଯ୍ୟନ୍ତ କ୍ଷତିପୂରଣ ମିଳିନାହିଁ। ହୀରାକୁଦ ଡ୍ୟାମ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ତେଣୁ ଏଠାକାର ଲୋକଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇଦେବା କଥା। ସରକାର ତାହା ନ କରି ଓଲଟି ସ୍ମାର୍ଟ ପ୍ରିପେଡ୍‌ ମିଟର ଲଗାଇ ଜିଲାବାସୀଙ୍କୁ ହଇରାଣ କରିବାକୁ ଯୋଜନା କରିଛନ୍ତି ବୋଲି ପ୍ରଧାନ ଅଭିଯୋଗ କରିଥିଲେ। ସରକାର ତୁରନ୍ତ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରନ୍ତୁ। ନଚେତ୍‌ ଆନ୍ଦୋଳନର ସାମ୍ନା କରିବାକୁ ପ୍ରସ୍ତୁତ ରହନ୍ତୁ ବୋଲି ସେ ଚେତାବନୀ ଦେଇଥିଲେ।
ମନ୍ତ୍ରୀ ମିଶ୍ରଙ୍କ ଏହି ଘୋଷଣାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ମଧ୍ୟ ବିରୋଧ କରିଛି। ମଞ୍ଚ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏଡିଏମ୍‌ ଅଜୟ କୁମାର ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Share