ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନା : ରାଜଧାନୀରେ ଅପଚୟ, ଦୁର୍ଗମ ଅଞ୍ଚଳରେ ମିଳୁନି

ଭୁବନେଶ୍ୱର,୩୧।୭(ବ୍ୟୁରୋ)

ରାଜ୍ୟର ବହୁ ପାହାଡ଼ିଆ ଅଞ୍ଚଳରେ ବିଦ୍ୟୁତ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ହେଲେ ରାଜଧାନୀର ସଚିବାଳୟରେ ଶକ୍ତି ଅପଚୟ ହେଉଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି। ବିଧାନସଭାର ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ହୋଇଥିବା ଶକ୍ତି ବିଭାଗ ଖର୍ଚ୍ଚଦାବି ଆଲୋଚନାରେ ମୋହନ କହିଛନ୍ତି ଯେ, ସଚିବାଳୟ ସରକାରଙ୍କ ଏକ ସୁଖଶାଳା। ଥରେ କୌଣସି କାର୍ଯ୍ୟରେ ଜଣେ ଅଧିକାରୀଙ୍କୁ ଦେଖା କରିବାକୁ ଯାଇଥିଲି, ହେଲେ ଅଧିକାରୀ ଜଣଙ୍କ ଅଫିସରେ ନ ଥିଲେ। ହେଲେ ତାଙ୍କ କାର୍ଯ୍ୟାଳୟର ୨ଟି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଲାଇଟ୍‌, ଫ୍ୟାନ୍‌ ଇତ୍ୟାଦି ଚାଲୁ ରହିଥିଲା। ସେଠାରେ ଥିବା ତଳିଆ କର୍ମଚାରୀ କହିଥିଲେ ଯେ, ସେମାନଙ୍କୁ ନିର୍ଦ୍ଦେଶ ରହିଛି, ବାବୁ ନ ଥିଲେ ବି ୪ ଘଣ୍ଟା ଚାଲୁ ରହିବ। ସରକାରଙ୍କ ଏପରି ନିୟମ ଅଛି କି । ରାଜ୍ୟ ପ୍ରଶାସନର ମୁଖ୍ୟାଳୟରେ ଯଦି ଶକ୍ତି ସଂରକ୍ଷଣ ଏପରି ହୋଇଥାଏ, ତେବେ ରାଜ୍ୟ କଥା ସହଜରେ ଅନୁମେୟ। ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରା ୨୪ ଡିଗ୍ରୀରେ ରଖିବାକୁ କୁହାଯାଇଥିଲେ ବି ଏହାକୁ ପାଳନ କରାଯାଉନାହିଁ। ଜିଲାସ୍ତରରେ କରାଯାଉଥିବା ନିୟମ ସଚିବମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ କି ବୋଲି ମୋହନ ପ୍ରଶ୍ନ କରିଥିଲେ। ରାଜ୍ୟର ଉପକୂଳରେ ବିସ୍ତୀର୍ଣ୍ଣ ସମୁଦ୍ର ରହିଛି, ଏହାର ବିନିଯୋଗ କରାଯାଇ ସରକାର ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ମୋହନ କହିଥିଲେ। ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ଯେ, ଫନୀ ପରେ ଅଧିକାଂଶ ପୋଲ ଭାଙ୍ଗି ପଡ଼ିଛି, ଏହାର ପୁନରୁଦ୍ଧାର ପାଇଁ ଉଚ୍ଚମାନର ସାମଗ୍ରୀ ଆବଶ୍ୟକତା ରହିଛି। ଏହା ନ ହୋଇ ପାରିଲେ, ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନ ପାରେ। କଟକ, ପୁରୀ ଇତ୍ୟାଦି ସହରରେ ଭୂତଳ କେବଲିଂର ଆବଶ୍ୟକତା ରହିଛି। କଟକରେ ଥିବା ରାସ୍ତାଗୁଡ଼ିକର ଚଉଡା ୧୪ ଫୁଟ୍‌ ଥିବାବେଳେ ବିଦ୍ୟୁତ ଖୁଣ୍ଟ ଏବଂ ଡ୍ରେନେଜ ୬ ଫୁଟ୍‌ ଅକ୍ତିଆର କରୁଛି, ଏହା ଦ୍ୱାରା ରାସ୍ତା ସଙ୍କୁଚିତ ହୋଇଯାଉଛି। ନେସ୍କୋ, ସାଉଥ୍‌କୋ, ୱେସ୍କୋ ଏବଂ ସେସୁ ଭଳି ସଂସ୍ଥା ବହୁତ ବକେୟା ରଖିଛନ୍ତି। ସେମାନେ ନିଜ ନିଜ କାର୍ଯ୍ୟରେ ସଫଳତା ପାଉ ନ ଥିବା ମୋକିମ କହିଥିଲେ। ଅପରପକ୍ଷରେ ଶାସକ ଦଳ ସଭ୍ୟ ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ସରକାରଙ୍କ ସପକ୍ଷରେ ବକ୍ତବ୍ୟ ରଖିଥିଲେ। ହେଲେ ପ୍ରଶାନ୍ତ ମେଡିକାଲ ଏବଂ ପର୍ଯ୍ୟଟନ ସ୍ଥଳୀଗଡ଼ିକରେ ସ୍ବତନ୍ତ୍ର ଆଲୋକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଥିଲେ।

Share