ଶଙ୍କରାଚାର୍ଯ୍ୟଙ୍କୁ ଅସମ୍ମାନିତ କରିଛନ୍ତି ନରସିଂହ: ଭାଜପା; କୌଣସି ଅପମାନସୂଚକ କଥା କହିନାହିଁ: ନରସିଂହ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):  ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ା ଶଙ୍କରାଚାର୍ଯ୍ୟଙ୍କର ଶିକ୍ଷା ଓ ଜାତିକୁ ନେଇ ପ୍ରମାଣ ମାଗିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପୁରୀ ମଠାଧୀଶ ବୋଲି ନ୍ୟାୟାଳୟରେ ପୂର୍ବରୁ ପ୍ରମାଣିତ ହୋଇସାରିଛି। ତାଙ୍କ ସ୍ବୀକୃତିକୁ ନେଇ ବର୍ତ୍ତମାନ କଂଗ୍ରେସ ବିଧାୟକ ଦଳ ନେତା ପ୍ରଶ୍ନ ଉଠାଇବା ଅର୍ଥାତ୍‌ ଜାଣିଶୁଣି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ କରିବା ା ବୈଦିକ ଗଣିତ ଉପରେ ୫୦ରୁ ଅଧିକ ପୁସ୍ତକ ରଚନା କରିବାସହ ବେଦ ସହିତ ଗଣିତକୁ ଯୋଡିବା ଭଳି ବିରଳ ବିଦ୍ୟାରେ ଶଙ୍କରାଚାର୍ଯ୍ୟ ଅଧିକାରୀ ବୋଲି ସମସ୍ତେ ଜାଣନ୍ତି ା ତାଙ୍କ ପ୍ରତି ଅପଶବ୍ଦ ନରସିଂହ ମିଶ୍ର ଓ କଂଗ୍ରେସ ଦଳର ହୀନମନ୍ୟତାର ପରିଚୟ ଦେଇଛି । ନରସିଂହବାବୁ ଜାଣିଶୁଣି ଜଗନ୍ନାଥ ସଂସ୍କୃତିକୁ ନୀଚା ଦେଖାଇବାକୁ ଯାଇ ସାଢେ ୪କୋଟି ଓଡିଆଙ୍କ ଆସ୍ଥା ଓ ବିଶ୍ୱାସ ଓ ଭାବନାକୁ ଆଘାତ ଦେଇଛନ୍ତି ା ସେ ପୂର୍ବରୁ ଆଇନ ମନ୍ତ୍ରୀ ଥିବାବେଳେ ମଧ୍ୟ ଜଗଦ୍‌ଗୁରୁଙ୍କ ପ୍ରତି ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ତାଙ୍କୁ ବିବାଦ ଘେରକୁ ଆସିବାକୁ ପଡିଥିଲା। ଏଭଳି ମନ୍ତବ୍ୟ ପାଇଁ ସେ କ୍ଷମା ମାଗନ୍ତୁ ବୋଲି ଗୋଲକ କହିଛନ୍ତି। ଭାଜପାର ଏଭଳି ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନରସିଂହ ମିଶ୍ର କହିଛନ୍ତି, ମୁଁ ଯାହା କହିଛି ଠିକ୍‌ କହିଛି। କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ଭାଜପା ବନ୍ଧୁମାନେ ଧର୍ମ ନାମରେ ରାଜନୀତି କରିବାରେ ଓସ୍ତାଦ। ଇଏ ଆଉ ଏକ ପ୍ରକାର ରାଜନୀତି ସେମାନେ କହୁଛନ୍ତି। ମନ୍ତ୍ରୀ ଥିବାବେଳେ ତାଙ୍କ ମତକୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି ଗ୍ରହଣ କରି ଧନ୍ୟବାଦ ଚିଠି ଦେଇଥିଲେ। ଏହା ଦଳର ନୁହେଁ ବରଂ ତାଙ୍କର ବ୍ୟକ୍ତିଗତ ମତ। କୌଣସି ଅପମାନ ସୂଚକ କଥା କହିନାହିଁ ବୋଲି ନରସିଂହ କହିଛନ୍ତି। ଏନେଇ ଗୋବର୍ଦ୍ଧନ ପୀଠର ମୁଖପାତ୍ର କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କୁ ନରସିଂହ ମିଶ୍ରଙ୍କ ସ୍ବୀକୃତିର ଆବଶ୍ୟକତା ନାହିଁ।

Share