ଶଙ୍କରାଚାର୍ଯ୍ୟଙ୍କ ଆଶୀର୍ବାଦ ନେଲେ ଲାବଣ୍ୟା

ପୁରୀ ଅଫିସ, ୧୪ା୮: ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ-୨୦୧୯ର ବିଜେତା ଓଡ଼ିଆ ଝିଅ ଲାବଣ୍ୟା ଦାଶ ମଙ୍ଗଳବାର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ଆଶୀର୍ବାଦ ନେଇଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପାଥେୟକରି ସେ ୪୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି। ଲାବଣ୍ୟା କହିଛନ୍ତି, ଗୁରୁଙ୍କ ଆଶୀର୍ବାଦ ବିନା କୌଣସି କାମରେ ସଫଳତା ମିଳିପାରିବ ନାହିଁ। ସର୍ବୋପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଜଗତ୍‌ଗୁରୁଙ୍କ ଆଶୀର୍ବାଦରୁ ମୁଁ ଏହି ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିଛି। ଗତ ୩ ତାରିଖରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନକରି ଆଶୀର୍ବାଦ ନେଇଥିବା ଲାବଣ୍ୟା ଗୋବର୍ଦ୍ଧନ ମଠକୁ ଆସିଥିବା ବେଳେ ତାଙ୍କ ସହ ମାଆ ଲିପିକା ଦାଶ, ବାପା ସୁବ୍ରତ କୁମାର ଦାଶ ଉପସ୍ଥିତ ଥିଲେ।