ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର ହେବ: ଗଜପତି

ରଥଯାତ୍ରା ବନ୍ଦକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ଶୁଣିବା ପରେ ବିଶ୍ୱର କୋଣ ଅନୁକୋଣରେ ଥିବା ଜଗନ୍ନାଥପ୍ରେମୀ ଭକ୍ତଙ୍କ ହୃଦୟକୁ ବାଧିଥିବ, ଏହା ନିଶ୍ଚିତ ଦୁଃଖଦାୟକ। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଏଥିରେ କୌଣସି ଦ୍ୱିମତ ନାହିଁ। ଖୁବ୍‌ଶୀଘ୍ର ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକ ବସିବ। ବାହାରେ ଯଦି ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିବ ନାହିଁ, ଶ୍ରୀମନ୍ଦିର ଭିତରେ କ’ଣ ନୀତି କରାଯାଇପାରିବ ସେ ସମ୍ପର୍କରେ ପରମପୂଜ୍ୟ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହିତ ଆଲୋଚନା କରାଯିବ। ଗୁରୁଜୀଙ୍କ ପରାମର୍ଶ ଏବଂ ସିଦ୍ଧାନ୍ତ ଅନୁସାରେ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ତେବେ ଅତୀତରେ କେତେଥର ରଥଯାତ୍ରା ବନ୍ଦ ହୋଇଛି ପ୍ରଶ୍ନରେ ଗଜପତି ମହାରାଜା କହିଥିଲେ, ଯେତେବେଳେ ମୋଗଲ ସୈନ୍ୟମାନଙ୍କ ଆକ୍ରମଣ ହୋଇଛି ସେତେବେଳେ ମହାପ୍ରଭୁଙ୍କୁ ଅନ୍ୟତ୍ର ବିଜେ କରାଯାଇଛି। ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିବା ଯୋଗୁ ରଥଯାତ୍ରା ହୋଇପାରି ନାହିଁ। ବର୍ତ୍ତମାନ ଯେଉଁ କୋଭିଡ଼ ସଂକ୍ରମଣ ଚାଲିଛି ତାହା ମଧ୍ୟ ସେହିଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ଗଜପତି ମହାରାଜା କହିଛନ୍ତି।

Share