ଶଙ୍କରାଚାର୍ଯ୍ୟଙ୍କ ପ୍ରତି ନରସିଂହଙ୍କ ମନ୍ତବ୍ୟ ପ୍ରସଙ୍ଗ

ପୁରୀ ଅଫିସ,୧୯ା୧୧: ପୁରୀ ଗୋବର୍ଦ୍ଧନ ମଠାଧୀଶ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ପ୍ରତି ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ କଟୁ ମନ୍ତବ୍ୟର ଜବାବ ରଖିଛନ୍ତି ଗୋବର୍ଦ୍ଧନ ମଠର ମୁଖପାତ୍ର ମନୋଜ ରଥ। ସେ କହିଛନ୍ତି, ବିଧାୟକ ମିଶ୍ର ଦେଇଥିବା ମନ୍ତବ୍ୟ ଭିତ୍ତିହୀନ। ପୂଜ୍ୟପାଦ ଶଙ୍କରାଚାର୍ଯ୍ୟ ଚାରିଧାମରେ ୪ଟି ପୀଠ ସ୍ଥାପନ କରିଥିଲେ। ତନ୍ମଧ୍ୟରୁ ଅନ୍ୟତମ ଏବଂ ଶ୍ରେଷ୍ଠ ଧାମ ହେଉଛି ଗୋବର୍ଦ୍ଧନ ପୀଠ। ଏହାର ଶଙ୍କରାଚାର୍ଯ୍ୟ ଭାବେ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଦୀର୍ଘ ୨୭ବର୍ଷ ଧରି ପୀଠାଧୀଶ ଦାୟିିତ୍ୱରେ ରହିଛନ୍ତି। ଶଙ୍କରାଚାର୍ଯ୍ୟ ହେଉଛନ୍ତି କୋଟି କୋଟି ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ତାଙ୍କ ପ୍ରତି ଏଭଳି ମନ୍ତବ୍ୟ ନିନ୍ଦନୀୟ। ସେହିପରି ସନାତନ ହିନ୍ଦୁ ଭକ୍ତ ସମାଜର ଆବାହକ ବିରଞ୍ଚତ୍ ନାରାୟଣ ମିଶ୍ର ମଧ୍ୟ ନରସିଂହଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି। ସେ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ୨୫୦୩ ବର୍ଷ ପୂର୍ବେ ଗୋବର୍ଦ୍ଧନ ମଠ ପ୍ରତିଷ୍ଠା ହୋଇଥିଲା। ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରି ଆସୁଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ନରସିଂହ ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ସନାତନ ଧର୍ମ ପ୍ରତି କୁଠାରାଘାତ।

Share