Categories: ଫୁରସତ

ଶଙ୍ଖର ମହତ୍ତ୍ୱ

ହିନ୍ଦୁ ଧର୍ମରେ ଶଙ୍ଖର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସେଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ଶଙ୍ଖ ଥିବା ଦେଖିବାକୁ ମିଳିଥାଏ। ତେବେ ଘରେ ଶଙ୍ଖ ରଖିଲେ କିମ୍ବା ଶଙ୍ଖ ବଜାଇଲେ କ’ଣ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା ସେ ବିଷୟରେ…

*ଶଙ୍ଖର ପବିତ୍ରତା ବଜାୟ ରଖିବା ପାଇଁ ଏହାକୁ ସର୍ବଦା ଠାକୁର ଘରେ କିମ୍ବା କୌଣସି ପବିତ୍ର ସ୍ଥାନରେ ରଖିବା ଆବଶ୍ୟକ।

* କୁହାଯାଏ, ଠାକୁର ଘରେ ଶଙ୍ଖରେ ପାଣି ରଖି ପରେ ସେହି ପାଣିକୁ ଘରସାରା ଛିଞ୍ଚତ୍ଲେ ବାତାବରଣ ଶୁଦ୍ଧ ହେବା ସହ ଘର ଭିତରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେନା।

*ହେଲେ ଘରେ ଦୁଇଟି ଶଙ୍ଖ ରଖିବାକୁ ଅଶୁଭ ବୋଲି କୁହାଯାଇଥାଏ। ତେଣୁ ଘରେ ଗୋଟିଏ ଶଙ୍ଖ ରଖିବା ଶୁଭ।

* ସେହିପରି ଯଦି କୌଣସି ଶଙ୍ଖରେ ଫଟାଦାଗ ଥାଏ କିମ୍ବା ଏହାର କୌଣସି ଭାଗ ଭାଙ୍ଗି ଯାଇଥାଏ, ତା’ହେଲେ ସେହି ଶଙ୍ଖକୁ ଆଉ ଘରେ ନ ରଖି ପାଣିରେ ଭସାଇଦେବା ଠିକ୍‌ ହେବ।

*ଘରେ ଶଙ୍ଖ ରଖିବା ଯେତିକି ଶୁଭ ଶଙ୍ଖ ବଜାଇବା ବି ସେତିକି ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ। ସେଥିପାଇଁ ହିନ୍ଦୁ ପୂଜାପାର୍ବଣରେ ଶଙ୍ଖ ବଜାଇବାର ଏକ ପ୍ରଥା ରହିଛି। କୁହାଯାଏ, ଶଙ୍ଖଧ୍ୱନିରେ କେବଳ ଆଖପାଖର ବାତାବରଣ ପବିତ୍ର ହୁଏ ନାହିଁ ଅନେକ ରୋଗରୁ ବି ମୁକ୍ତି ମିଳିଥାଏ।

*କାରଣ କେତେଜଣ ବୈଜ୍ଞାନିକ ବି ପରୀକ୍ଷା କରି ଦେଖିଛନ୍ତି, ଶଙ୍ଖଧ୍ୱନି ଦ୍ୱାରା ବାତାବରଣରେ ଥିବା ଅନେକ ଅପକାରୀ ଜୀବାଣୁ ଓ କୀଟାଣୁ ନାଶ ହୋଇଯାନ୍ତି, ଯଦ୍ଦ୍ବାରା ଆମ ଶରୀର ସୁସ୍ଥ ରହିଥାଏ। ବିଶେଷକରି ଯେଉଁ ବ୍ୟକ୍ତି ନିୟମିତ ଶଙ୍ଖ ବଜାଉଥାନ୍ତି, ତାଙ୍କୁ ଶ୍ୱାସ ତଥା ହୃଦ୍‌ରୋଗ ହେବାର ଆଶଙ୍କା ଖୁବ୍‌ କ୍ଷୀଣ ଥାଏ।

*ହେଲେ ଶଙ୍ଖ ବଜାଉଥିବା ସମୟରେ ଯଦି ଏହା ହାତରୁ ଖସି ତଳେ ପଡିଯାଏ, ତା’ହେଲେ ଏହା କୌଣସି ଅଶୁଭ ସୂଚନାର ସଙ୍କେତ ଦେଇଥାଏ। ସେହିପରି ଠିକ୍‌ରେ ଶଙ୍ଖ ବଜାଇବା ବି ଆବଶ୍ୟକ। ଯଦି ଏହାକୁ ଠିକ୍‌ରେ ନ ବଜାଇ ପାରିଲେ ତା’ହେଲେ ସକାରାତ୍ମକ ଫଳ ପରିବର୍ତ୍ତେ ନକାରାତ୍ମକ ଫଳ ମିଳିଥାଏ।

*ସେହିପରି ଯଦି କୌଣସି ଶିଶୁଙ୍କର କଥା କହିବାରେ ସମସ୍ୟା ଦେଖାଯାଇଥାଏ, ତା’ହେଲେ ତାଙ୍କୁ ଶଙ୍ଖରେ ପାଣି ପିଆଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି।

*କେବଳ ଘରେ ନୁହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ, କର୍ମକ୍ଷେତ୍ରରେ ମଧ୍ୟ ଶଙ୍ଖ ରଖିଲେ ବ୍ୟବସାୟରେ ଉନ୍ନତି ହୋଇଥାଏ।

*ତେଣୁ ଏସବୁ ଦୃଷ୍ଟିରୁ ଦେଖିଲେ, ଯେଉଁ ବ୍ୟକ୍ତି ଆସ୍ଥା ଓ ନିଷ୍ଠାର ସହକାରେ ବିଧିପୂର୍ଣ୍ଣ ଭାବେ ଶଙ୍ଖକୁ ଘରେ ରଖିବା ସହ ତାକୁ ଠିକ୍‌ରେ ବଜାଇଥାନ୍ତି, ତାଙ୍କର ଶ୍ରୀ ବୃଦ୍ଧି ଅବଶ୍ୟ ହୋଇଥାଏ।

Share