ଶଟଡାଉନରେ କଟକଣା କଡାକଡି: ବାଲେଶ୍ୱରରୁ ୫ଶହରୁ ଊର୍ଦ୍ଧ୍ୱ ସ୍ବାବ ସଂଗ୍ରହ

ବାଲେଶ୍ୱର ଅଫିସ, ୨୬।୪-ବାଲେଶ୍ୱର ଜିଲାରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ୨୬ତାରିଖ ରାତି ୧୦ଟାରୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଶଟଡାଉନ୍‌ ଘୋଷଣା କରାଯାଇଛି। ଶନିବାର କିଛି ଜରୁରୀ ସେବା ବ୍ୟତୀତ ଜିଲାର ସମସ୍ତ ଅଫିସ, ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯାଇଛି। କରୋନା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି। ଶନିବାର ଜିଲାର ବିଭିନ୍ନ ବ୍ଲକରେ ୧୩ଟି ଟିମ୍‌ ଦ୍ୱାରା ୫ଶହରୁ ଉର୍ଦ୍ଧ୍ୱ ସ୍ବାବ ସଂଗ୍ରହ କରାଯାଇଛି। ବିଶେଷ କରି ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ସୋର ବ୍ଲକରେ ସ୍ବାବ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ କଣ୍ଟେନମେଣ୍ଟ ଜୋନ୍‌ ଓ ବ୍ଲକରେ ସର୍ଭେ କରିବା ସହ ନମୁନା ସଂଗ୍ରହ କାମ ତ୍ୱରିତ ବେଗରେ ସମ୍ପନ୍ନ କରିଛନ୍ତି। ଜରୁରୀ ପରିସ୍ଥିତିରେ ଲୋକମାନଙ୍କୁ ହେଲ୍ପଲାଇନ୍‌ରେ ଯୋଗାଯୋଗ କରିବାକୁ କୁହାଯାଇଛି। କୃଷି ବିଭାଗର ସ୍ବତନ୍ତ୍ର ସଚିବ ଏସ୍‌.କେ. ବଶିଷ୍ଠଙ୍କୁ ଜିଲାର ତଦାରଖ ନିମନ୍ତେ ଦାୟିତ୍ୱ ଦିଆଯାଇଥିବାବେଳେ ସ୍ଥିତି ସମ୍ପର୍କରେ ସେ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ସମେତ ଜିଲାର ବରିଷ୍ଠ ପ୍ରଶାସନିକ, ପୋଲିସ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଶଟ୍‌ଡାଉନ୍‌ ଆଦେଶ ଏବଂ କଟକଣାର ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।