Categories: କଟକ

ଶଟ୍‌ଡାଉନରେ ରୋଗୀ ସେବା କଲେ ପୂର୍ବତନ ବିଧାୟକ

ଚୌଦ୍ୱାର,୫ା୩(ଡି.ଏନ୍‌.ଏ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କଟକ ସହର ସମେତ ଚୌଦ୍ୱାର ସହର ମଧ୍ୟ ଶଟ୍‌ଡାଉନ ରହିଛି। ଶୁକ୍ରବାର ସନ୍ଧ୍ୟାରେ ଚୌଦ୍ୱାର ପୋଲିସ ତରଫରୁ ଡାକବାଜୀ ଯନ୍ତ୍ର ଯୋଗେ ଶଟ୍‌ଡାଉନ ପ୍ରଚାର ହେବାପରେ ଦୋକାନ ବଜାରରେ କିଛିସମୟ ପାଇଁ ଗ୍ରାହକଙ୍କ ହଠାତ୍‌ ଭିଡ ଲାଗିଯାଇଥିଲା। ହେଲେ ରାତି୮ଟା ସୁଦ୍ଧା ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା। ଦୁଇଦିନ ଅଞ୍ଚଳବାସୀ ଏହି ନିୟମକୁ ଠିକ୍‌ଭାବେ ପାଳିଥିବା ଚୌଦ୍ୱାରା ଥାନା ଆଇଆଇସି ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଏହି ଶଟ୍‌ଡାଉନ ସମୟରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଲୋକମାନଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି। ଶଟଡାଉନ ଥିବାରୁ ଗାଡିମୋଟର ଯାତାୟାତ ବନ୍ଦ ଥିଲା। ଏଭଳି ସ୍ଥିତିରେ ଶନିବାର ଚୌଦ୍ୱାର ହାଉସିଂବୋର୍ଡର ଜଣେ ବ୍ୟକ୍ତିଙ୍କ ହଠାତ୍‌ ଛାତିରେ ଯନ୍ତ୍ରଣା ହେବାର ତାଙ୍କୁ ହସ୍ପିଟାଲ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଗାଡି ମିଳି ନ ଥିଲା। ବାଧ୍ୟହୋଇ ଉକ୍ତ ୱାର୍ଡର ପୂର୍ବତନ କାଉନନସିଲର ଶୁଭେନ୍ଦୁ ସାମଲ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଫୋନ କରିବାରୁ ରୋଗୀଙ୍କ ସେବାପାଇଁ ନିଜେ ବାହାର କରିଥିବା ଆମ୍ବୁଲାନ୍ସ ଓ କର୍ମଚାରୀ ପଠାଇ ପୀଡିତଙ୍କୁ ଚିକିତ୍ସା କରାଇ ଘରେ ପହଞ୍ଚାଇ ଥିଲେ। ସେହିପରି ଓଟିଏମ କଲୋନୀର ଜଣେ ବ୍ୟକ୍ତିଙ୍କ ନବଜାତ ଶିଶୁପୁତ୍ରର ଶନିବାର ସନ୍ଧ୍ୟାରେ କଟକ ଶିଶୁଭବନରେ ମୁତୁ୍ୟୁ ହୋଇଥିଲା। ସେଠାରେ ମୃତ ଶିଶୁକୁ ଘରକୁ ଆଣିବା ପାଇଁ ଗାଡି ପାଇ ନ ଥିଲେ। ବାଧ୍ୟହୋଇ ଶିଶୁପୁତ୍ରକୁ କାନ୍ଧରେ ଧରି ଦରଘା ବଜାର ପର୍ଯ୍ୟନ୍ତ ଚାଲିଚାଲି ଆସୁଥିବା ଖବରପାଇ ପୂର୍ବତନ ବିଧାୟକ ତୁରନ୍ତ ଆମ୍ବୁଲାନ୍ସ ସହିତ ନିଜେ ଯାଇ ସେମାନଙ୍କୁ କଟକରୁ ଚୌଦ୍ୱାର ଆଣିଥିଲେ। ବିଧାୟକଙ୍କ ଏହି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ା