Categories: ମେଟ୍ରୋ

ଶଟ୍‌ଡାଉନ୍‌ରେ ହଟହଟା ହେଲେ ଯାତ୍ରୀ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୧ ଜିଲାରେ ଶନି ଓ ରବିବାର ଦୁଇ ଦିନିଆ ଶଟ୍‌ଡାଉନ୍‌ କରାଯାଉଛି। ଏଥିଯୋଗୁ ଦୋକାନ ବଜାର ଓ ଗାଡି ମୋଟର ବନ୍ଦ ରହୁଛି। ବିଭିନ୍ନ ସ୍ଥାନରେ ପୋଲିସ ଅଟକାଇ ଯାଞ୍ଚ କରୁଛି। ହେଲେ ଟ୍ରେନ୍‌ରେ ବାହାରୁ ଆସୁଥିବା ଯାତ୍ରୀ ଜାଣି ନ ପାରି ନାନା ହଟହଟାର ସମ୍ମୁଖୀନ ହେଉଛନ୍ତି। ଖାଇବା ଓ ଘରକୁ ଯିବାରେ ସମସ୍ୟା ଭୋଗୁଛନ୍ତି। ପ୍ରବାସୀମାନେ ଟିକେଟ ଦେଖାଇ ଯାଇପାରିବାର ନିୟମ ରହିଥିଲେ ମଧ୍ୟ ଗାଡ଼ି ମିଳୁ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଛଛନ୍ତି। ଶନିବାର ଭୁବନେଶ୍ୱର ରେଳ ଷ୍ଟେଶନରେ ଶହଶହ ଯାତ୍ରୀ ଓହ୍ଲାଇଥିଲେ ମଧ୍ୟ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଅଟକି ରହିଥିଲେ। କେତେଜଣ ଓଲା ଓ ସେବା ପ୍ରଦାନ କରିବାକୁ ଅନୁମତି ପାଇଥିବା ଗାଡ଼ିକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିବାବେଳେ ଆଉ କେତେଜଣ ଷ୍ଟେଶନରେ ରହିଯିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଟ୍ରେନ୍‌ରେ ଆସିଥିବା ଜଣେ ରୋଗୀ ଗାଡ଼ି ନ ପାଇ ହଇରାଣ ହୋଇଥିଲେ। ତାଙ୍କୁ ଦୁଇଜଣ ବ୍ୟକ୍ତି କାନ୍ଧେଇ ନେଉଥିବା ଦେଖିବାକୁ ମିଳିଥିଲା। ସେହିପରି ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ସମାନ ସ୍ଥିତି ଉପୁଜିଥିଲା। ତେବେ ଦିନରେ ରାସ୍ତାଘାଟ ଖାଁ ଖାଁ ଥିବାବେଳେ ସନ୍ଧ୍ୟାରେ ପୋଲିସର ଯାଞ୍ଚରେ ଢିଲା ଦେଖି ଅନେକ ଅମାନିଆ ସହର ବୁଲାବୁଲି କରିଥିଲେ।

Share