ଶଟ୍‌ଡାଉନ ପ୍ରତ୍ୟାହାର ପରେ ଲକ୍‌ଡାଉନ କଡାକଡି: ୬୭ ଗାଡି ଜବତ, ୭୩ ହଜାର ଜରିମାନା ଆଦାୟ

ବାଲେଶ୍ୱର ଅଫିସ,୨୬।୪-ମହାମାରୀ କରୋନା ସାରା ବିଶ୍ୱରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନଜରରେ ରଖି ଗତ ୨୩ ତାରିଖ ରାତି୧୦ଟାରୁ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଦୀର୍ଘ ୬୦ଘଣ୍ଟା ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ରବିବାର ଶଟ୍‌ଡାଉନ୍‌ ପ୍ରତ୍ୟାହାର ହେବା ମାତ୍ରେ ସହରରେ ବିଭିନ୍ନ ଅଞ୍ଚଳରୁ ଶହ ଶହ ଲୋକ ଅତ୍ୟାବଶ୍ୟକ ଜିନିଷ ନେବା ପାଇଁ ନୂଆବଜାର, କଚେରୀ ବଜାର, ଫାଣ୍ଡିଛକ, ସିନେମାଛକ, ମୋତିଗଞ୍ଜକୁ ବିଭିନ୍ନ ଯାନବାହନ ନେଇ ଆସିଥିଲେ। ଲକ୍‌ଡାଉନ ଜାରି ହୋଇଥିବା ସତ୍ତ୍ୱେ ଲୋକେ ସାମାଜିକ ଦୂରତାକୁ ଖାତିର୍‌ ନ କରି ଚଳପ୍ରଚଳ ହେବା ପ୍ରଶାସନକୁ ବିଚଳିତ କରିଥିଲା। ଏହାକୁ ଆୟତ୍ତ କରିବା ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଥିଲା। ବିଭିନ୍ନ ସ୍ଥାନରୁ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ, ଟାଉନ ଥାନା ପୋଲିସ ୬୫ ବାଇକ୍‌, ୨ କାର୍‌ ଜବତ କରିବା ସହ ୭୩ ହଜାର ଟଙ୍କା ଜରିମାନା ଆଦାୟ କରିଛି। ପରେ ବିଭିନ୍ନ ଛକରେ ପୋଲିସ ପହରା କଡାକଡି କରାଯାଇଥିଲା।

Share