ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ ବୋଲି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଭୂବିଜ୍ଞାନ ମନ୍ତ୍ରଣାଳୟର ପୁଣେସ୍ଥିତ ଭାରତୀୟ ପାଣିପାଗ ପ୍ରତିଷ୍ଠାନର ଜଳବାୟୁ ପରିବର୍ତ୍ତନ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସବୁଜ ଗୃହ ବାଷ୍ପ ଜନିତ ଉଷ୍ମତା କାରଣରୁ ୧୯୦୧-୨୦୧୮ ମଧ୍ୟରେ ଭାରତର ହାରାହାରି ତାପମାତ୍ରା ପ୍ରାୟ ୦.୭ ଡିଗ୍ରୀ ସେଲ୍ସିୟସ ବୃଦ୍ଧିପାଇଥିବା ରିପୋର୍ଟରେ ଦର୍ଶାଯାଇଛି।
୧୯୮୬ରୁ ୨୦୧୫ ଅର୍ଥାତ୍ ୩୦ ବର୍ଷର ଅବଧି ମଧ୍ୟରେ ବର୍ଷର ସବୁଠୁ ଗରମ ଦିନର ତାପମାତ୍ରା ୦.୬୩ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ସବୁଠୁ ଥଣ୍ଡା ରାତିର ତାପମାତ୍ରା ୦.୪ ଡିଗ୍ରୀ ସେଲ୍ସିୟସ୍ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ଶତାବ୍ଦୀର ଶେଷ ସୁଦ୍ଧା ସବୁଠୁ ଗରମ ଦିନ ଏବଂ ଥଣ୍ଡା ରାତିର ତାପମାତ୍ରା ଯଥାକ୍ରମେ ୪.୭ ଡିଗ୍ରୀ ସେଲ୍ସିୟସ୍ ଏବଂ ୫.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗରମ ଦିନ ଏବଂ ଗରମ ରାତି ସଂଖ୍ୟା ମଧ୍ୟ ବଢ଼ିବ, ଯାହାକି ଯଥାକ୍ରମେ ୫୫% ଏବଂ ୭୦% ବୃଦ୍ଧି ହେବା ପୂର୍ବାନୁମାନ କରାଯାଇଛି। ଏକବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତରେ ଗ୍ରୀଷ୍ମ (ଏପ୍ରିଲ-ଜୁନ) ଉଷ୍ମ ପ୍ରବାହ ୩ରୁ ୪ ଗୁଣ ଅଧିକ ହେବ। ଉଷ୍ମ ପ୍ରବାହର ହାରାହାରି ସମୟସୀମା ମଧ୍ୟ ପ୍ରାୟ ଦୁଇ ଗୁଣ ହେବ ବୋଲି ଆକଳନ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ସମଗ୍ର ଭାରତରେ ଭୂପୃଷ୍ଠ ତାପମାତ୍ରା ଏବଂ ଆର୍ଦ୍ରତାର ମିଳିତ ବୃଦ୍ଧି ସାଙ୍ଗକୁ ଜୋର୍ଦାର ଗରମ ହେବା ଆଶଙ୍କା ଥିବାବେଳେ ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ସିନ୍ଧୁ ନଦୀ ଅବବାହିକାରେ ବିଶେଷ ଭାବେ ଅନୁଭୂତ ହେବ। ୧୯୫୧-୨୦୧୫ ମଧ୍ୟରେ ଭାରତ ମହାସାଗର ଅଞ୍ଚଳର ସମୁଦ୍ର ପୃଷ୍ଠ ତାପମାତ୍ରା (ଏସ୍ଏସ୍ଟି) ହାରାହାରି ୧ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧିପାଇଛି, ଯାହାକି ବିଶ୍ୱର ହାରାହାରି ଏସ୍ଏସ୍ଟି (୦.୭ ଡିଗ୍ରୀ ସେଲ୍ସିୟସ୍)ଠାରୁ ଅଧିକ। ଭାରତ ମହାସାଗରରେ ତାପମାତ୍ରା କମ୍ ବେଶି ହେବା ଯୋଗୁ ଉତ୍ତମ ମୌସୁମୀ ଆଣିବାରେ ସହାୟକ ହୋଇଥାଏ। ୧୮୭୪ରୁ ୨୦୦୪ ମଧ୍ୟରେ ଉତ୍ତର ଭାରତ ମହାସାଗରର ଜଳପତ୍ତନ ୧.୦୬ରୁ ୧.୭୫ ମିଲିମିଟର ବୃଦ୍ଧି ପାଇଥିଲା। ତେବେ ଗତ ୨୫ ବର୍ଷ ମଧ୍ୟରେ (୧୯୯୩-୨୦୧୭) ଏହା ୩.୩ ମିଲିିମିଟର ହିସାବରେ ବୃଦ୍ଧି ପାଇଛି। ଚଳିତ ଶତାବ୍ଦୀ ଶେଷ ବେଳକୁ ଉତ୍ତର ଭାରତ ମହାସାଗରରେ ସମୁଦ୍ର ପତ୍ତନ ହାରାହାରି ୩୦୦ ମିଲିିମିଟର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସେହିପରି ୧୯୫୧ରୁ ୨୦୧୫ ମଧ୍ୟରେ ଭାରତରେ ମୌସୁମୀ ବର୍ଷା ପରିମାଣ(ଜୁନ୍ରୁ ସେପ୍ଟେମ୍ବର) ପ୍ରାୟ ୬ ପ୍ରତିଶତ ହ୍ରାସପାଇଛି। ବିଶେଷ କରି ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ପଶ୍ଚିମଘାଟ ଅଞ୍ଚଳରେ ବର୍ଷା ଯଥେଷ୍ଟ କମିଥିବା ରିପୋର୍ଟରେ କୁହାଯାଇଛି।