Categories: ଜାତୀୟ

ଶତ୍ରୁଙ୍କୁ କଡ଼ା ଜବାବ ଦେବ ଓ୍ବେଷ୍ଟର୍ଣ୍ଣ କମାଣ୍ଡ

ନୂଆଦିଲ୍ଲୀ,୮।୯: ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ବାୟୁସେନା ସବୁ ମୁହୂର୍ତ୍ତର ସାମ୍ନା କରିବାକୁ ପ୍ରସ୍ତୁତ ହୋଇ ରହିଛି। ବାୟୁସେନା ଏବେ ଉଚ୍ଚସ୍ତରୀୟ ଅପରେଶନର ପ୍ରସ୍ତୁତିରେ ଲାଗି ରହିଛି। ଏହାବ୍ୟତୀତ ନିଜର ଯୁଦ୍ଧ ବିମାନ ଓ ହେଲିକପ୍ଟର ଗୁଡିକର ସୁରକ୍ଷା କଥା ମଧ୍ୟ ଚିନ୍ତା କରୁଛି। ବିଶେଷ କରି ବାୟୁସେନାର ଓ୍ବେଷ୍ଟର୍ଣ୍ଣ କମାଣ୍ଡଙ୍କୁ ଏବେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ କରି ରଖାଯାଇଛି। କେବଳ ସେତିକି ନୁହେଁ ସମସ୍ତ ଏୟାରବେସ୍‌ର ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏସବୁ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଏଥିରେ ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌ ଏୟାର ମାର୍ଶାଲ ରଘୁନାଥ ନାମ୍ବିୟାର ମଧ୍ୟ ଯୋଗ ଦେଇଥିବା କୁହାଯାଉଛି। ଓ୍ବେଷ୍ଟର୍ଣ୍ଣ କମାଣ୍ଡ ବାୟୁସେନାର ଏକ ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ବୋଲି କୁହାଯାଏ। କାରଣ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତିକୁ ସାମ୍ନା କରିବାକୁ ଏହାକୁ ପ୍ରସ୍ତୁତ କରାଯାଉଛି। କେବଳ ପାକିସ୍ତାନ କାହିଁକି ଚାଇନା ଉପରେ ମଧ୍ୟ ନଜର ରଖିଛି ଏହି ଓ୍ବେଷ୍ଟର୍ଣ୍ଣ କମାଣ୍ଡ। ଏବେ ନୁହେଁ ଓ୍ବେଷ୍ଟର୍ଣ୍ଣ କମାଣ୍ଡର ସଫଳତା ମଧ୍ୟ ପୂର୍ବରୁ ସମସ୍ତଙ୍କୁ ଜଣାଥିବ। କାରଣ କଶ୍ମୀର ଅପରେଶନ ୧୯୪୭-୪୮, ଭାରତ-ଚାଇନା ଯୁଦ୍ଧ ୧୯୬୨, ଇଣ୍ଡୋ-ପାକ୍‌ ଯୁଦ୍ଧ ୧୯୬୫ ଓ ୧୯୭୧, ଶ୍ରୀଲଙ୍କାରେ ଅପରେଶନ ପଓ୍ବନ ୧୯୮୬ ଓ କାରଗିଲରେ ଅପରେଶନ ସଫେଦ ସାଗର ୧୯୯୯ରେ ଓ୍ବେଷ୍ଟର୍ଣ୍ଣ କମାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା କୁହାଯାଏ। ଏଥର ମଧ୍ୟ ଯଦି ଚାଇନା ବା ପାକିସ୍ତାନ ଭାରତ ସହ କୌଣସି ପରିସ୍ଥିତିରେ ଅଶାନ୍ତ ବାତାବରଣ ସୃଷ୍ଟି କରି ଯୁଦ୍ଧ ଭଳି ପରିସ୍ଥିତି ଉପୁଜାନ୍ତି ତେବେ ଏହାର କଡା ଜବାବ ଦେବ ଓ୍ବେଷ୍ଟର୍ଣ୍ଣ କମାଣ୍ଡ।

Share