Categories: ଜାତୀୟ

ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ତୃତୀୟ ଥର ଲାଗି ଆସନ୍ତା ୧୬ ତାରିଖ ଅର୍ଥାତ୍‌ ରବିବାର ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ରାମଲୀଳା ମଇଦାନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ଶପଥ ଗ୍ରହଣ ଉତ୍ସବରେ କେବଳ ଦିଲ୍ଲୀର ଜନତା ଓ ରାଜନେତାମାନେ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି। ଏଥିପାଇଁ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅବା ନେତାଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା କହିଛନ୍ତି ଆମ ଆଦମୀ ପାର୍ଟି(ଏଏପି) ନେତା ଗୋପାଳ ରାଏ। ହେଲେ ଏହି ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେଜରିଓ୍ବାଲ ସ୍ବତନ୍ତ୍ର ଭାବେ ନିମନ୍ତ୍ରଣ ଦେଇଥିବା ସୂଚନା ଦେଇଛନ୍ତି ଶ୍ରୀ ରାଏ। ଏହାପୂର୍ବରୁ ଏଏପିର ବରିଷ୍ଠ ନେତା ମନିଷ ସିସୋଡିଆ ମଧ୍ୟ ଦିଲ୍ଲୀବାସୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଜଣାଇଥିଲେ। ସେ କହିଥିଲେ ଦିଲ୍ଲୀବାସୀ ରବିବାର ସକାଳ ୧୦ଟା ସୁଦ୍ଧା ରମଲୀଳା ମଇଦାନରେ ଉପସ୍ଥିତ ହେବାକୁ ଅନୁରୋଧ। ଦିଲ୍ଲୀବାସୀଙ୍କ ପୁଅ କେଜରିଓ୍ବାଲଙ୍କୁ ଆଗକୁ ବଢିବାକୁ ଆପଣମାନଙ୍କ ଆଶୀର୍ବାଦ ଲୋଡା। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ପାଇଁ ଫେବୃୟାରୀ ୮ରେ ନିର୍ବାଚନ ହୋଇଥିବା ବେଳେ ଏଥିରେ ଏଏପି ମୋଟ ୭୦ ଆସନରୁ ୬୨ଟିରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଆଉ ଅରବିନ୍ଦ କେଜରିଓ୍ବାଲ ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି।

Share