ଶଯ୍ୟାଶାୟୀ ମଧୁମେହ ରୋଗୀଙ୍କୁ ଉଦ୍ଧାର କଲା ପ୍ରଶାସନ

ବିଜେପୁର, ୩୦।୩ (ଡି.ଏନ.ଏ.)-କରୋନା ପ୍ରତିହତ ପାଇଁ ରାଜ୍ୟର ସମସ୍ତ ଜିଲା ଲକ୍‌ ଡାଉନ ରହିଛି । ଦିନ ମଜୁରିଆ ହାତବାନ୍ଧି ବସି ରହିବାକୁ ବାଧ୍ୟ ହେଉଛନ୍ତି । ପେଟକୁ ଦାନା ଯୋଗାଡ କରିବା କଷ୍ଟକର ହେଉଛି। ଅର୍ଥାଭାବରୁ ଚିକିତ୍ସିତ ହୋଇ ନ ପାରି ରୋଗୀ ଯନ୍ତ୍ରଣାରେ ଛଟପଟ ହେବା ସାର ହୋଇଛି । ଏଭଳି ଖବର ପାଇବା ପରେ ବରଗଡ ଜିଲା ବିଜେପୁର ବ୍ଲକ ପ୍ରଶାସନ ତୁରନ୍ତ ଜଣେ ଶଯ୍ୟାଶାୟୀ ମଧୁମେହ ରୋଗୀଙ୍କୁ ସୋମବାର ଉଦ୍ଧାର କରି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ଉକ୍ତ ଯୁବକ ଜଣକ ହେଲେ ଭଟିଗାଁର ରାଧେକୃଷ୍ଣ ନାଏକ (୫୦)।
ସେ ମୂଲ ଲାଗି କୁଟୁମ୍ବ ପୋଷୁଥିଲେ । ହେଲେ ଗତ ଦୁଇ ମାସ ତଳେ ସେ ଅସୁସ୍ଥ ହୋଇ ପଡିଥିଲେ । ଡାକ୍ତରଙ୍କ ପରାମର୍ଶ ନେବାରୁ ତାଙ୍କୁ ମଧୁମେହ ହୋଇଥିବା ଜଣାପଡିଥିଲା । ଧାରକରଜ କରି ସେ ଚିକିତ୍ସା କରାଇଲେ ମଧ୍ୟ ରୋଗ କମିବା ପରିବର୍ତ୍ତେ ବଢ଼ିଯାଇଥିଲା । ଅର୍ଥାଭାବରୁ ଉଚ୍ଚତର ଚିକିତ୍ସା ହୋଇ ନ ପାରି ସେ ଭାଗ୍ୟକୁ ଆଦରି ପଡି ରହିଥିଲେ । ଗତ ଏକମାସ ହେଲା ସେ ଚଲାବୁଲା କରି ନ ପାରି ସଂପୂର୍ଣ୍ଣ ଶଯ୍ୟାଶାୟୀ। ଚିକିତ୍ସା ଅଭାବରୁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଘା ହୋଇଯାଇଛି । ଲକ୍‌ ଡାଉନ ଯୋଗୁଁ ପତ୍ନୀ ରଜନୀ ନାଏକ (୪୦) ଓ ଏକମାତ୍ର ପୁଅ ଅଶ୍ୱିନୀ ନାଏକ (୨୧) ମୂଲ ଲାଗି ନ ପାରି ଘରେ ହାତବାନ୍ଧି ବସି ରହିଛନ୍ତି । ଫଳରେ ସଂପୃକ୍ତ ପରିବାର ଦୁଇ ଓଳି ଦୁଇମୁଠା ଖାଇ ପାରୁ ନାହାନ୍ତି। ଲକ୍‌ ଡାଉନ ଯୋଗୁ ନିଃସହାୟ ଲୋକଙ୍କୁ ଆହାର ଯୋଗାଇ ଦେବାକୁ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଭଟିଗାଁ ପଞ୍ଚାୟତରେ ୨୫୦ଜଣ ନିଃସହାୟ ଲୋକ ରହିଥିବା ସୂଚନା ପାଇ ବିଡିଓ ପଦ୍ମନାଭ ସାମନ୍ତରାୟ ଏହାର ତଦନ୍ତ ପାଇଁ ନିଜେ ଗାଁକୁ ଯାଇଥିଲେ । ଏହି ସମୟରେ ସେ ଉକ୍ତ ଶଯ୍ୟାଶାୟୀ ମଧୁମେହ ରୋଗୀଙ୍କ ବିଷୟରେ ଜାଣିବାକୁ ପାଇଥିଲେ । ତେଣୁ ତାଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ସେ ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରଶାସନ ତାଙ୍କର ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ବିଡିଓ ପଦ୍ମନାଭ ସାମନ୍ତରାୟ କହିଛନ୍ତି।

Share