Categories: ଜାତୀୟ

ଶରଜିଲଙ୍କ ସାନ ଭାଇ ସମେତ ଅନ୍ୟ ୨ଗିରଫ

ଜହାନାବାଦ,୨୮।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ଛାତ୍ର ଶରଜିଲ ଇମାମ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ଉସୁକାଇବା ଭାଷଣ ଦେଇ ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଦେଶ ବିରୋଧୀ ବିୟାନ ଦେବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଇତିମଧ୍ୟରେ ସୋମବାର ବିଳମ୍ବିତ ରାତିରେ ବିହାର ଜହନାବାଦ ସ୍ଥିତ କାକୋ ଥାନା ଅଞ୍ଚଳରେ ଥିବା ଶରଜିଲଙ୍କ ପୈତୃକଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ପୋଲିସ ତାଙ୍କ ସାନ ଭାଇଙ୍କ ସମେତ ଅନ୍ୟ ୨ଜଣଙ୍କୁ ଗିରଫ କରି ପଚରାଉଚୁରା କରିଛି। ସୂଚନାଯୋଗ୍ୟ, ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର କୁହାଯାଉଥିବା ଶରଜିଲ ସେଠାରେ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଛି। ଦେଶ ବିରୋଧୀ ବୟାନ ପାଇଁ ତାଙ୍କ ବିରୋଧରେ ୬ଟି ରାଜ୍ୟର ପୋଲିସ ଏତଲା ଦାୟର କରିଥିବା ଜଣାପଡ଼ିଛି। ଫେରାର ଥିବା ଶରଜିଲଙ୍କୁ ଖୋଜିବା ପାଇଁ ପୋଲିସ ମୁମ୍ବାଇ, ପାଟନା ଓ ଦିଲ୍ଲୀରେ ଚଢ଼ାଉ ଜାରି ରଖିଛି। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ୫ଟି ଟିମ୍‌ ଗଠନ କରି ତାଙ୍କର ଖାନତଲାସି କରୁଥିବା ସୂଚନା ରହିଛି।

Share