ଶରଣକୁଳ ଅଞ୍ଚଳରେ ଗୋମଡ଼କ

ନୟାଗଡ଼ ଅଫିସ,୨୮।୧୨: ନୟାଗଡ଼ ଜିଲା ଶରଣକୁଳ ଅଞ୍ଚଳରେ ଅଜଣା ରୋଗ ବ୍ୟାପୀ ଗୋମଡକ ଦେଖାଦେଇଛି। ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗୋରୁଙ୍କ ମୃତ୍ୟୁ ଘଟୁଛି। ସପ୍ତାହକ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏତେ ସଂଖ୍ୟକ ଗୋରୁଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପ୍ରାଣୀ ସମ୍ପଦ ବିଭାଗ ଏ ଦିଗରେ ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହେଉଛି।
ସୂଚନା ଅନୁସାରେ, ସପ୍ତାହକ ମଧ୍ୟରେ ବଡ଼ଗୋରଡ଼ା ଗ୍ରାମର ଅରକ୍ଷିତ ଦଳେଇ, ପ୍ରହଲ୍ଲାଦ ବେହେରା, ଦଣ୍ଡପାଣି ପ୍ରଧାନ, ହଜାରୀ ବେହେରା, ମହାଜନୀ ସ୍ବାଇଁ, ଗୋଲଣି ଲେଙ୍କା, ପ୍ରାଣନାଥ ଲେଙ୍କା, ସନ୍ତ ବେହେରା, ଝରିଆ ବେହେରାଙ୍କ ଗୋଟିଏ ଲେଖାଏ ଗାଈ ମରିଛନ୍ତି। ଶୁକ୍ରବାର ସକାଳେ ବଡ଼ଗୋରଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କ ଗାଈର ମୃତ୍ୟୁ ଘଟି ଥିବା ବେଳେ ତାହାକୁ ଲୋକମାନେ ନେଇ ପୋତି ଆସିବା ପରେ ଗୁହାଳରେ ବାଛୁରୀଟି ଅସୁସ୍ଥ ଅବସ୍ଥାରେ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସୁଦ୍ଧା ବାଛୁରୀଟି ଅସୁସ୍ଥ ରହିଛି। କେବଳ ବଡ଼ଗୋରଡ଼ା ଗ୍ରାମ ନୁହେଁ ଢୁସୁମା, ଶିଖରପୁର, ଭାଲିଆଡିହି, ଶରଣକୁଳ ଗ୍ରାମରେ ମଧ୍ୟ ଗୋରୁମାନେ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେଠାରେ ମଧ୍ୟ ଗୋମଡକ ଦେଖାଦେଖାଦେଇଛି। ସାତ ଦିନରେ ପାଖାପାଖି ୫୦ଗୋରୁଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହେଉଛି। ଗୋରୁ ସୁସ୍ଥ ସବଳ ଥିବା ବେଳେ ହଠାତ୍‌ ସେମାନଙ୍କ ଦେହ ତାତି ଯିବା ସହିତ ଗୋଡ଼ ଝିମଝିମା ମାରି ତଳେ ପଡ଼ି ଯାଉଛନ୍ତି। ଏହା ପରେ ମୃତ୍ୟୁ ହେଉଥିବା ଗୋପାଳକମାନେ ପ୍ରକାଶ କରିଛନ୍ତି। ଏହା ସାହାଣ କିମ୍ବା ବଜବଜିଆ ରୋଗ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ଗୋରୁମରି ଯାଉଥିବା କାରଣରୁ ଗୋପାଳକଙ୍କ ଆର୍ଥିକ କ୍ଷତି ଘଟୁଛି।
ଏ ସମ୍ପର୍କରେ ନୟାଗଡ଼ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀ ସତ୍ୟପ୍ରିୟ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ବଡ଼ଗୋରଡ଼ା ଗ୍ରାମର କିଛି ବାଛୁରୀ ମରିଥିବା ସୂଚନା ମିଳିଛି। ଚଟୁଆ ଫୁଲାରେ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଶନିବାର ସେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ଏହାର ପ୍ରତିକାର କରାଯିବାରେ ପଦକ୍ଷେପ ନେବେ ବୋଲି କହିଥିଲେ। ବିଭାଗ ଏହି ଘଟଣାକୁ ଗୁରୁତର ସହ ନେଇ ଗୋରୁଙ୍କ ଚିକିତ୍ସା କରିବା ପାଇଁ ଗୋପାଳକମାନେ ଦାବି କରିଛନ୍ତି। ନଚେତ ଅକାଳରେ ଗୋରୁଙ୍କ ଜୀବନ ଚାଲିଯିବ। ସୂଚନାଯୋଗ୍ୟ ଯେ, ୨୦୧୨ ମସିହାରେ ଜିଲାରେ ୨ ଲକ୍ଷ ୨୯ ହଜାର ୫୨୪ ଗୋରୁ ଗଣନା କରାଯାଇଥିଲା।

Share