Categories: ଖେଳ

ଶରଣକୁଳ ସର୍ବଭାରତୀୟ ଫୁଟବଲ୍‌: ସୁନାବେଡ଼ାକୁ ହରାଇ ମଧ୍ୟପ୍ରଦେଶ ଚାମ୍ପିୟନ୍‌

ନୟାଗଡ଼ ଅଫିସ,୧୧।୧୧- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁକେଶ ଆଥ୍‌ଲେଟିକ ଆସୋସିଏଶନ ଆନୁକୁଲ୍ୟରେ ଅନୁଷ୍ଠିତ ୬୦ତମ ସର୍ବଭାରତୀୟ ଫୁଟବଲ୍‌ ଟୁର୍ନାମେଣ୍ଟରେ ମଧ୍ୟପ୍ରଦେଶର ରତଲାମ୍‌ ସିଟି ଫୁଟବଲ୍‌ କ୍ଲବ ଚାମ୍ପିୟନ ହୋଇଛି। ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆଠାରେ ରବିବାର ଖେଳାଯାଇଥିବା ଫାଇନାଲରେ ମଧ୍ୟ ପ୍ରଦେଶ ଟ୍ରାଇବ୍ରେକର ସହାୟତାରେ ୩-୨ ଗୋଲ୍‌ରେ ସାଇ ହାଲ୍‌ ସୁନାବେଡ଼ାକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧର ୩୩ ମିନିଟରେ ମଧ୍ୟପ୍ରଦେଶର ୧୦ ନମ୍ବର ଖେଳାଳି ସହସାଦ୍‌ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। ଏହା ପରେ ଖେଳର ଦ୍ୱିତୀୟାର୍ଦ୍ଧର ୨୪ ମିନିଟରେ ସୁନାବେଡ଼ାର ୧୦ ନମ୍ବର ଖେଳାଳି କାର୍ତ୍ତିକ ହାଲଙ୍କ ଗୋଲ୍‌ ବଳରେ ମ୍ୟାଚ୍‌ ୧-୧ ବରାବର ସ୍ଥିତିକୁ ଆଣିଥିଲା। ଏହାପରେ ନିର୍ଦ୍ଧାରିତ ସମୟସୀମା ଓ ଅତିରିକ୍ତ ୧୦ ମିନିଟ୍‌ ମଧ୍ୟରେ ଆଉ କୌଣସି ଗୋଲ୍‌ ସ୍କୋର ହୋଇ ପାରି ନ ଥିଲା। ଫଳରେ ଟ୍ରାଇବ୍ରେକର ସହାୟତାରେ ୩-୨ ଗୋଲ୍‌ରେ ମଧ୍ୟପ୍ରଦେଶ ବିଜୟୀ ହୋଇ ଟାଇଟଲ୍‌ ଜିତିଥିଲା।
ସଭାପତି ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଏସ୍‌ପି ଶଶିଭୂଷଣ ଶତପଥୀ, ଡିଏଫଓ ଧନରାଜ ଏଚଡ଼ି, ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁ, ରଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଉପସ୍ଥିତ ରହିଥିଲେ। ଚାମ୍ପିୟନ୍‌ ଦଳ ୩୦ ହଜାର ଟଙ୍କା ସହିତ ଟ୍ରଫି ଓ ସୁନାବେଡ଼ା ଦଳ ୨୦ ହଜାର ଟଙ୍କା ସହିତ ରନର୍ସଅପ୍‌ ଟ୍ରଫି ହାସଲ କରିଥିଲା। ଶ୍ରେଷ୍ଠ ଖେଳାଳୀ ଭାବେ ମଧ୍ୟପ୍ରଦେଶର ଗୋଲକିପର ଭାଉତି ଓ ଶ୍ରେଷ୍ଠ ଧାରାବାହିକ ଖେଳାଳି ଭାବେ ସୁନାବେଡ଼ା ଦଳର ଶଙ୍କର ହାଲଙ୍କୁ ପୁରସ୍କୃତ କରାଯାଇଥିଲା। ସମ୍ପାଦକ ଯୋଗନ୍ଦ୍ରେ ନାଥ ପ୍ରଧାନ ସମ୍ପାଦକୀୟ ବିବରଣୀ ପଠନ କରିଥିବା ବେଳେ ଉପସଭାପତି ବିକ୍ରମ କୁମାର ଦାଶ ଧନ୍ୟବାଦ ଦେଇଥିଲେ। ଶିବପ୍ରସାଦ ଦାସ ଖେଳ ପରିଚାଳନା କରିଥିବା ବେଳେ ରାଜୁ ମହାନ୍ତି, ପ୍ରିୟବ୍ରତ ବାହିନୀପତି, ଦିଗ୍‌ବିଜୟ ଦାସ ଲାଇନ୍‌ରେ ସହାୟତା କରିଥିଲେ।

Share