ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ସଂଘର୍ଷ କ୍ଲବ ବିଜୟୀ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡୁକେଶ ଆଥ୍‌ଲେଟିକ ଆସୋସିଏଶନ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ନାରାୟଣ ଉଚ୍ଚ ବିଦ୍ୟାଳୟ ପରିସରରେ ୬୦ତମ ସର୍ବଭାରତୀୟ ଫୁଟବଲ୍‌୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ରଣପୁର ବିଧାୟକ ତଥା କମିଟିର ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ସଦସ୍ୟମାନେ ଲଡ଼ୁବାବାଙ୍କ ମନ୍ଦିର ପରିସରରେ ପୂର୍ଜାଚ୍ଚନା କରିବା ପରେ ଏକ ମଶାଲ ଶୋଭାଯାତ୍ରା ଖେଳପଡ଼ିଆଠାରେ ପହଞ୍ଚତ୍ଥିଲ। ପରେ ସେଠାରେ ବିଧାୟକ ପ୍ରଧାନ କ୍ରୀଡ଼ା ପତାକାକୁ ଉତ୍ତୋଳନ କରି ଟୁର୍ନାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟି ସମ୍ପାଦକ ଯୋଗେନ୍ଦ୍ର ନାଥ ପ୍ରଧାନ, ଉପସଭାପତି ବିକ୍ରମ କୁମାର ଦାଶ, ବୈକୁଣ୍ଠନାଥ ସିଠ୍‌, ମହେନ୍ଦ୍ର ନାଥ ପ୍ରଧାନ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ, ଶ୍ୟାମଘନ ସାହୁ, ମୀନାକ୍ଷୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ମ୍ୟାଚ୍‌ ମା’ ମଙ୍ଗଳା କ୍ଲବ କଟକ ଓ ସଂଘର୍ଷ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳ ପ୍ରଥମାର୍ଦ୍ଧର ୨ ମିନିଟ ପରେ ସଂଘର୍ଷ କ୍ଲବ ଦଳର ୯ ନମ୍ବର ଖେଳାଳି ମହମ୍ମଦ ଫରିଦ୍‌ ପ୍ରଥମ ଗୋଲ୍‌ କରିଥିଲେ। ୧୫ ମିନିଟ ପରେ ଏହି ଦଳର ୬ ନମ୍ବର ଖେଳାଳି ଚନ୍ଦ୍ର ଶେଖର ବେହେରା ବିପକ୍ଷ ଦଳକୁ ଆଉ ଗୋଟିଏ ଗୋଲ୍‌ ସ୍କୋର ଦେଇଥିଲେ। ଖେଳର ୩୪ ମିନିଟରେ ମଙ୍ଗଳା କ୍ଲବ ଦଳର ୧୨ ନମ୍ବର ଖେଳାଳି ନୟନ ନାୟକ ବିପକ୍ଷ ଦଳକୁ ଗୋଟିଏ ଗୋଲ୍‌ ସ୍କୋର ଦେଇଥିଲେ। ଏହା ପରେ ଖେଳର ଦ୍ୱିତୀୟାର୍ଦ୍ଧରେ କୌଣସି ଦଳ କାହାରିକୁ ଗୋଲ୍‌ ଦେଇ ପାରି ନ ଥିଲା। ଫଳରେ ୨-୧ ଗୋଲ୍‌ ସ୍କୋରରେ ସଂଘର୍ଷ କ୍ଲବ ବିଜୟୀ ହୋଇଥିଲା। ବିଜୟ ଦାସ ଖେଳ ପରିଚାଳନା କରିଥିବା ବେଳେ ରାଜୁ ମହାନ୍ତି, ଲକ୍ଷ୍ମୀ ପ୍ରସାଦ, ଶିବ ପ୍ରସାଦ ଦାସ ଲାଇନ୍‌ରେ ସହାୟତା କରିଥିଲେ। ଚିତ୍ତରଞ୍ଜନ ବରାଡ଼ ଓ ଶିବପ୍ରସାଦ ପୁଷ୍ପପାଳକ ଖେଳରେ ସହାୟତା କରିଥିବା ବେଳେ କୃଷ୍ଣଚନ୍ଦ୍ର ମହାପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ।