Categories: ଖେଳ

ଶରଣାର୍ଥତ୍ ଭାବେ ଅଲିମ୍ପିକ୍ସରେ ଖେଳିପାରିବେ ଇରାନିଆନ ମୋଲାଇ

ଟୋକିଓ,୨।୯(ଏଏଫ୍‌ପି): ନିକଟରେ ବିଶ୍ୱ ଚାମ୍ପିୟନଶିପ ପ୍ରିତଯୋଗିତାରେ ଏକ ଫାଇଟ୍‌ ଜାଣିଶୁଣି ହାରିବା ପାଇଁ ନିର୍ଦ୍ଦେଶ ପାଇଥିବା ନେଇ ଦାବି କରୁଥିବା ଇରାନିଆନ ଜୁଡୋ ଷ୍ଟାର ସାଇଦ ମୋଲାଇ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଖେଳିପାରନ୍ତି। କିନ୍ତୁ ତାଙ୍କୁ ଶରଣାର୍ଥୀ ଆଥ୍‌ଲେଟ୍‌ ଭାବେ ଅଂଶଗ୍ରହଣ କରିବାକୁ ପଡ଼ିପାରେ। ଅନ୍ତର୍ଜାତୀୟ ଜୁଡୋ ଫଡେରେଶନ (ଆଇଜେଏଫ୍‌) ସଭାପତି ମାରିଅସ ଭିଜେର ରବିବାର ପୂର୍ବତନ ବିଶ୍ୱ ଚାମ୍ପିୟନ ମୋଲାଇଙ୍କ ପ୍ରତି ସମର୍ଥନ ଜାହିର କରିଛନ୍ତି। ଜୁଡୋ ଆଥଲେଟଙ୍କୁ ସୁରକ୍ଷା ଦେବା ଆମ କାର୍ଯ୍ୟ। ତାଙ୍କୁ ଅଲିମ୍ପିକ୍ସରେ ଖେଳାଇବା ପାଇଁ ଆମ ପକ୍ଷରୁ ସମସ୍ତ ପ୍ରକାର ପ୍ରୟାସ କରାଯିବ। କିନ୍ତୁ ସେ କେଉଁ ଦଳରୁ ପ୍ରତିନିଧିତ୍ୱ କରିବେ, ସେ ନେଇ ଆମେ ପରେ ଚିନ୍ତା କରିବା ବୋଲି ଭିଜେର କହିଛନ୍ତି। ଉଲ୍ଲେଖଥାଉ କି, ପୁରୁଷ ୮୧ କିଲୋ କ୍ଲାସରେ ମୋଲାଇ ବେଲଜିୟମର ମାଥିଆସ କାସେଙ୍କଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲେ। ଏହାପରେ ଇସ୍ରାଏଲର ଆଥ୍‌ଲେଟ ସାଗି ମୁକିଙ୍କ ବିପକ୍ଷ ମ୍ୟାଚ୍‌କୁ ଟାଳିବା ପାଇଁ ଇରାନିଆନ କର୍ମକର୍ତ୍ତା ଜାଣିଶୁଣି ଏକ ମୁକାବିଲା ହାରିବାକୁ ତାଙ୍କ ଉପରେ ଚାପ ପକାଇଥିବା ମୋଲାଇ ଦାବି କରିଥିଲେ। ଏ ସମ୍ପର୍କରେ ଭିଜେର ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି, ପ୍ରଥମେ ତାଙ୍କ କ୍ୟାରିୟର ଜାରି ରଖିବା ପାଇଁ ଆମେ ସବୁକିଛି କରିବୁ। ଚଳିତ ସପ୍ତାହରେ ଏକ ଆପତ୍ତକାଳୀନ ବୈଠକ ଡକାଯିବ। ଏଥିରେ ମୋଲାଇ ଓ ତାଙ୍କ ପରିବାର ଉପରେ ରାଜନୈତିକ ଚାପ ପ୍ରୟୋଗ କିମ୍ବା ଧମକ ଦିଆଯାଇଥିବା ଅଭିଯୋଗ ଉପରେ ତଦନ୍ତ ହେବ। ଏହାପରେ ଇରାନିଆନ ଜୁଡୋ ଫେଡେରେଶନକୁ ଦଣ୍ଡିତ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ।

Share