ଶରତ ଘାଟିରେ ଗାଡ଼ି ଓଲଟିଲା: ୩ ଗୁରୁତର, ୧୧ ଆହତ

ଠାକୁରମୁଣ୍ଡା,୨୬ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାଠାରୁ ୨୦ କିମି ଦୂର ଶରତ ଘାଟିରେ ମଙ୍ଗଳବାର ଏକ ସଫାରୀ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୁରୁତରମାନଙ୍କୁ ଉଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଚମ୍ପାଝର ନିକଟବର୍ତ୍ତୀ ଗ୍ରାମରୁ ଲୋକମାନେ ଶରତଠାରେ ହେଉଥିବା ସାପ୍ତାହିକ ହାଟକୁ ଏକ ସଫାରୀ ଗାଡ଼ି (ନଂ. ଓଆର୦୯ଜି -୬୧୧୭) ଯୋଗେ ଯାଉଥିବା ସମୟରେ ମଧ୍ୟାହ୍ନ ୧୨ଟା ସମୟରେ ଶରତ ଘାଟି ତଳକୁ ଭାରସାମ୍ୟ ହରାଇ ଗାଡ଼ି ଓଲଟି ପଡିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆହତମାନେ ହେଲେ ଖଣ୍ଡପାଳ ବାଲିପୋଷି ଗ୍ରାମର ସ୍ବାଧୀନ ମହାନ୍ତ, କାର୍ତ୍ତିକ ମହାନ୍ତ, ଗୁରୁଚରଣ ମହାନ୍ତ, ଶାନ୍ତନୁ ନାଏକ, କାର୍ତ୍ତିକ ମହାନ୍ତ, ମୂଳାପାଳ ଗ୍ରାମର ବଳରାମ ଚାତାର, ଡଙ୍ଗାଡ଼ିହା ଗ୍ରାମର ପାଙ୍ଗିଲା ହୋ, ପତ୍ରପୋଡ଼ା ଗ୍ରାମର ନୁନି ହୋ, କରଞ୍ଜିଆ ବ୍ଲକ ଅନ୍ତର୍ଗତ ଦୁଧିଆଣୀ ଗ୍ରାମର ମଣ୍ଡାଇ ସିଂ ଖୁଣ୍ଟିଆ, କାଟେ ସିଂ ଖୁଣ୍ଟିଆ। ଗୁରୁତର ଥିବା ତୁରାମ ଚାତାର ଓ ଅନ୍ୟ ୨ଜଣ ଉଦଳା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଶରତ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ କରୁଛି ।