Categories: ଫୁରସତ

ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ

ବ୍ରିଙ୍ଗହାମ୍‌ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ ହୋଇଯାଇଥିଲା। ସେଥିପାଇଁ ପିଲାଦିନୁ ସେ ସମାଜର ଅନେକ ଗଞ୍ଜଣା ଶୁଣିଛନ୍ତି। କିଏ ତାଙ୍କୁ ‘ଡାଲମେସିଆନ୍‌’ ତ କିଏ ‘ସ୍ପଟି ଫେସ୍‌’ ଓ ‘କୁକି’ ଡାକୁଥିଲେ। କେହି କେହି ତ ତାଙ୍କୁ ପାଖରେ ବସେଇବାକୁ ବି ଭଲ ପାଉ ନ ଥିଲେ। ଦୁଇ ସନ୍ତାନର ମା’ ଚେରିଲ କିନ୍ତୁ ଏଥିପାଇଁ ନିଜକୁ କେବେ ଘର କୋଣରେ ଲୁଚାଇ ରଖି ନାହାନ୍ତି। ଯଦିଓ ପ୍ରଥମେ ପ୍ରଥମେ ଲୋକଙ୍କ କଥା ତାଙ୍କୁ ଖରାପ ଲାଗୁଥିଲା, ହେଲେ ପରବର୍ତ୍ତୀ ସମୟରେ ସେ ନିଜକୁ ଭଲ ପାଇବା ଆରମ୍ଭ କରିଦେଇଥିଲେ। ନିକଟରେ ସେ ନିଜର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଅପଲୋଡ କରିଥିଲେ। ଆଶ୍ଚର୍ଯ୍ୟଜନକଭାବେ କିଛିଦିନ ପରେ ତାଙ୍କୁ ‘ମଡେଲ୍ସ ଅଫ୍‌ ଡାଇଭର୍ସିଟି’ ନାମକ ମଡେଲିଂ ଏଜେନ୍ସିରୁ ମଡେଲିଂର ଅଫର୍‌ ଆସିଲା, ଯାହାକୁ ଚେରିଲ ଆଦୌ ବିଶ୍ୱାସ କରିପାରି ନ ଥିଲେ। ଏହି ମଡେଲିଂ ଏଜେନ୍ସି ଭିନ୍ନ ଶରୀରଧାରୀ ମହିଳା, ଯାହାଙ୍କୁ ସମାଜ ଅସୁନ୍ଦର କହେ, ତାଙ୍କୁ ବାଛିଥାଏ ମଡେଲିଂ ପାଇଁ। ବର୍ତ୍ତମାନ ଚେରିଲ ଜଣେ ସଫଳ ମଡେଲ। ଆଉ ସେ ନିଜ ଜୀବନକୁ ନେଇ ବେଶ୍‌ ଖୁସି ଅଛନ୍ତି। ଆଉ ଅନ୍ୟ ପାଇଁ ଉଦାହରଣ ବି ସାଜିଛନ୍ତି।

Share