ନୂଆଦିଲ୍ଲୀ,୨୧।୬: ସଂସ୍କୃତର ‘ଯୁଜ୍’ ଧାତୁରୁ ଯୋଗର ଉତ୍ପତି; ଯାହାର ଅର୍ଥ ‘ଯୋଡ଼ିବା’। ଅର୍ଥାତ୍ ଶରୀର, ମନ ଏବଂ ଆତ୍ମାକୁ ଗୋଟିଏ ସୂତ୍ରରେ ଯୋଡ଼ିବା। ସ୍ପଷ୍ଟ ଶବ୍ଦରେ କହିଲେ, ଯୋଗର ଅର୍ଥ ଶାରୀରିକ ବ୍ୟାୟାମ, ଯେଉଁ ପ୍ରକ୍ରିୟାରେ ମନୁଷ୍ୟ ସୁସ୍ଥ ରହିବା ପାଇଁ ନିଜ ଶରୀରକୁ ମୋଡ଼ିଥାନ୍ତି, ଟାଣିଥାନ୍ତି, ସମ୍ପ୍ରସାରିତ କରିଥାନ୍ତି ଓ ଶ୍ୱାସ ନେବାର ଜଟିଳ ତରିକା ଆପଣେଇଥାନ୍ତି। ଯୋଗ ଦ୍ୱାରା ଉଭୟ ଶରୀର ଓ ମନ ସୁସ୍ଥ ରହିଥାଏ। ଏହା ମଧ୍ୟ ଜଣେ ବ୍ୟକ୍ତିର ଦିନଚର୍ଯ୍ୟାକୁ ସୁନ୍ଦର କରିଥାଏ। ଐତିହାସିକଙ୍କ କହିବାନୁସାରେ, ସଭ୍ୟତା ଆରମ୍ଭ ହେବା ଦିନଠୁ ଯୋଗ କରାଯାଇ ଆସୁଛି। ଯୋଗ ପାଞ୍ଚ ହଜାର ବର୍ଷ ବା ତା’ଠାରୁ ଆହୁରି ଏକ ପୁରାତନ ପ୍ରକ୍ରିୟା। ଏହା ମଧ୍ୟ କୁହାଯାଉଛି ଯେ, ଯୋଗର ପ୍ରଥମ ଗୁରୁ ହେଉଛନ୍ତି ଭଗବାନ ଶିବ। ପ୍ରାଚୀନତମ ବୃହତ ଆରଣ୍ୟକ ଉପନିଷଦରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ରହିଛି। ଭାଗବତ ଗୀତା ଓ ମହାଭାରତର ଶାନ୍ତିପର୍ବରେ ମଧ୍ୟ ଯୋଗ ସମ୍ପର୍କରେ ଉଲ୍ଲେଖ ଦେଖିବାକୁ ମିଳେ। ଆଦିଗୁରୁ ଭଗବାନ ଶିବଙ୍କ ପରେ ସାଧୁ, ମୁନି, ଋଷିମାନଙ୍କଠାରୁ ଯୋଗ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ଭଗବାନ ଶ୍ରୀକୃଷ୍ଣ, ମହାବୀର ଜୈନ ଓ ଗୌତମ ବୁଦ୍ଧ ମଧ୍ୟ ନିଜ ନିଜ ଶୈଳୀରେ ଯୋଗର ପ୍ରସାର କରିଛନ୍ତି। ଏହାପରେ ଋଷି ପତଞ୍ଜଳି ଯୋଗକୁ ଏକ ନୂଆ ପରିଚୟ ଦେଇଥିଲେ। ସେହି କାରଣରୁ ପତଞ୍ଜଳିଙ୍କୁ ଯୋଗର ଜନକ କୁହାଯାଏ।
ଜୁନ୍ ୨୧ କାହିଁକି?
ଜୁନ୍ ୨୧ ତାରିଖକୁ ଅନ୍ତଃରାଷ୍ଟ୍ରୀୟ ବା ବିଶ୍ୱ ଯୋଗ ଦିବସ ଭାବେ ବାଛିବା ପଛରେ ଉଭୟ ବୈଜ୍ଞାନିକ ଓ ପାରମ୍ପରିକ କାରଣ ରହିଛି। ଜ୍ୟୋତିର୍ବିଦ୍ଙ୍କ ମତରେ, ସୂର୍ଯ୍ୟଙ୍କ ଗତି ଦୁଇ ପ୍ରକାର -ଉତ୍ତରାୟଣ ଏବଂ ଦକ୍ଷିଣାୟନ। ଜୁନ୍ ୨୧ ତାରିଖରେ ସୂର୍ଯ୍ୟ ନିଜର ଗତି ପରିବର୍ତ୍ତନ କରନ୍ତି। ଅର୍ଥାତ୍ ଏହି ଦିନ ସେ ଉରାୟଣରୁ ଦକ୍ଷିଣାୟନକୁ ଯାଆନ୍ତି। ଫଳରେ ସୂର୍ଯ୍ୟଙ୍କ ତେଜ ଓ ତାପ କମ୍ ହୁଏ। ଅର୍ଥାତ୍ ଅଚାନକ ପାଗ ପରିବର୍ତ୍ତନ ହୁଏ। ଫଳରେ ପୃଥିବୀର ଗୋଟିଏ ଭାଗରେ ଅନେକ ପ୍ରକାର ରୋଗ ଜୀବାଣୁ ସକ୍ରିୟ ହୋଇଉଠନ୍ତି ଏବଂ ଲୋକମାନେ ନାନା ରୋଗରେ ପଡ଼ିବାର ଆଶଙ୍କା ଉପୁଜେ। ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଯୋଗ ଅଭ୍ୟାସ ନିହାତି ଜରୁରୀ। ଏହି କାରଣରୁ ଜୁନ୍ ୨୧କୁ ଯୋଗ ଦିବସ ଭାବେ ଚୟନ କରାଯାଇ ଯୋଗାଭ୍ୟାସ ପାଇଁ ଲୋକଙ୍କୁ ପ୍ରେରିତ କରାଯାଇଥାଏ।