ଶଶୁର ଘରେ ନିଆଁ ଲଗାଇ ଜ୍ୱାଇଁ ଫେରାର

କଳିଙ୍ଗନଗର,୧୯ା୧୦(ଡି.ଏନ୍‌.ଏ.): ଦାନଗଦୀ ଫାଣ୍ଡି ଅର୍ନ୍ତଗତ ଓଳଲ ପଞ୍ଚାୟତରେ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟଣା ଘଟିଛି। ଏହି ଗ୍ରାମରେ ଘର ଜୋୟାଁ ରୁହୁଥିବା ଜଣେ ଯୁବକ ଶଶୁର ଘରେ ନିଆଁ ଲଗାଇ ଫେରାର ହୋଇଯାଇଛି। ଫଳରେ ଗ୍ରାମର ଶଶୁର ଘର ସମେତ ୧୬ ବଖରା ଘର ଜଳିଯାଇଛି। ଶୁକ୍ରବାର ଦାନଗଦୀ ତହସିଲ ପକ୍ଷରୁ ୯ ଜଣ ପରିବାରକୁ ପାଲ ଯୋଗାଇ ଦିଆଯାଇଛି। ଶନିବାର ଅନ୍ୟମାନଙ୍କୁ ପାଲ ଯୋଗାଇ ଦିଆଯିବ ବୋଲି ତହସିଲଦାର ବୁଲବୁଲ ବେହେରା କହିଛନ୍ତି। ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୩୩୫/୧୯) ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଓଲଳ ପଞ୍ଚାୟତର ଶରତ ଜେନାଙ୍କ ଝିଅଙ୍କୁ ୧୫ ବର୍ଷ ତଳେ ହାତୀବାରୀ ଅଞ୍ଚଳର ଦୀଲିପ ମଳିକ ବିବାହ କରିଥିଲେ। ବିବାହ ପରଠାରୁ ଦିଲୀପ ଘର ଜ୍ୱାଇଁ ଭାବେ ରହୁଥିଲେ। ସ୍ତ୍ରୀ ଓଲଳ ଗ୍ରାମ ଅଙ୍ଗନବାଡି ଓ୍ବାର୍କର ଭାବେ କାର୍ଯ୍ୟ କରନ୍ତି। ଅଧିକାଂଶ ଦିନରେ ଦିଲୀପ ନିଶାସେବନ କରି ଘରେ ଗାଳିଗୁଲଜ କରିବା ସହ ସ୍ତ୍ରୀଙ୍କୁ ମାଡ ମାରିଥାନ୍ତି। ଗୁରୁବାର ରାତିରେ ଏହା ଉଗ୍ରରୂପ ନେଇଥିଲା। ଦିଲୀପ ନିଶାସେବନ କରି ଆସିବାରୁ ଶରତ ତାଙ୍କୁ ବିରୋଧ କରିଥିଲେ। ଏଥିରେ ସେ ରାଗିଯାଇ ଘରେ ତାଙ୍କ ସ୍ତ୍ରୀ ସମେତ ସମସ୍ତେ ଶୋଇଥିବାବେଳେ ବିଳମ୍ବିତ ରାତିରେ କିରୋସିନ ଢାଳି ନିଆଁ ଲଗାଇ ଫେରାର ହୋଇଯାଇଥିଲେ। ଫଳରେ ଶଶୁର ଘର ସମେତ ସାହିରେ ଥିବା ୧୬ଜଣ ପାଖାପାଖି ପଡୋଶୀଙ୍କ ଘରେ ନିଆଁ ବ୍ୟାପିଯାଇଥିଲା। ଖବର ପାଇ ଦାନଗଦୀ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା।

Share