Categories: ଜାତୀୟ

ଶସ୍ତାରେ ମରିବାକୁ ଚାହୁଁନାହାନ୍ତି କଶ୍ମୀରୀ

ନୂଆଦିଲ୍ଲୀ,୧୬।୩: ଅନୁଚ୍ଛେଦ ୩୭୦କୁ ହଟାଇବା ଅପେକ୍ଷା ଜମ୍ମୁ-କଶ୍ମୀରବାସୀଙ୍କ ପାଇଁ ସବୁଠୁ ଚିନ୍ତାର କାରଣ ପାଲଟିଛି ରାଜ୍ୟ ମାନ୍ୟତା ହରାଇବା। ଏବେ ଉପତ୍ୟକାରେ ସ୍ବାଭାବିକ ସ୍ଥିତି ଫେରାଇଆଣିବା ସହ ଜୀବନଯାତ୍ରା ସହଜ ଓ ସରଳ କରିବା ବଡ଼ ପ୍ରସଙ୍ଗ। କଶ୍ମୀରବାସୀ ଶସ୍ତାରେ ମରିବାକୁ ଚାହୁଁନାହାନ୍ତି। ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟ ମାନ୍ୟତା ଫେରିପାଇବା ସମୟକୁ ସେମାନେ ଅପେକ୍ଷା କରିଛନ୍ତି ବୋଲି ଅନ୍ତର୍ଜାତୀୟ ଗୋଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ପୂର୍ବତନ ମୁଖ୍ୟ ଏ.ଏସ୍‌. ଦୁଲାଟ ପ୍ରକାଶ କରିଛନ୍ତି।
ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ କଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବା ଦୁଲାଟ ଏକ ସାକ୍ଷାତ୍‌କାରରେ କହିଛନ୍ତି, ୩୭୦ ଆଉ ଫେରିବ ନାହିଁ ବୋଲି ଉପତ୍ୟକାବାସୀ ବୁଝିସାରିଛନ୍ତି। ତେବେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବା ଦାବି ଜୋର୍‌ ଧରିବାରେ ଲାଗିଛି। କିପରି ସ୍ବାଭାବିକ ଜୀବନ ଅତିବାହିତ କରିବେ ତାହା ଲୋକଙ୍କ ପାଇଁ ଏବେ ବଡ଼ ଚିନ୍ତାର କାରଣ ହୋଇଛି ବୋଲି ଦୁଲାଟ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଇବାରେ ଦୁଲାଟ ମଧ୍ୟସ୍ଥ ଭୂମିକା ନେଇଥିବା କୁହାଯାଉଛି।

Share