ନୂଆଦିଲ୍ଲୀ, ୨୯-୮: ଆସନ୍ତା ମାସରୁ ରେଳ ମନ୍ତ୍ରଣାଳୟ ଭଡାରେ ରିହାତି ଯୋଜନା ଆରମ୍ଭ କରିବ। ଏହା ଦ୍ୱାରା ଏସି ଚେୟାରକାର ଏବଂ ଏକଜିକ୍ୟୁଟିଭ ଟିକେଟ ଶସ୍ତା ହେବ ବୋଲି ଜଣାପଡିଛି। ଶତାଦ୍ଦୀ, ଗତିମାନ, ତେଜସ, ଡବଲ ଡେକର, ଇଣ୍ଟରସିଟି ଭଳି ଟ୍ରେନଗୁଡିକରେ ଏହି ଯୋଜନା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ରେଳ ଭଡାରେ ରିହାତି ପ୍ରଦାନ କରିବା ଅଧିକାରକୁ କ୍ଷେତ୍ରୀୟ ରେଲଓ୍ବେର ପ୍ରଧାନ ମୁଖ୍ୟ ବାଣିଜି୍ୟକ ପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି। ଗତ ବର୍ଷ ମାସିକ ୫୦%ରୁ କମ୍ ସିଟ୍ ସଂରକ୍ଷିତ ହୋଇଥିବା ରେଳଗାଡିରେ ଏହି ରିହାତି ବ୍ୟବସ୍ଥା କରାଯିବ। ରେଳ ଟିକେଟରେ ଏହି ରିହାତି ମୂଳ ଭଡା ଉପରେ ୨୫% ପର୍ଯ୍ୟନ୍ତ ରହିବ। ସଂରକ୍ଷିତ ଶୁଳ୍କ, ସୁପରଫାଷ୍ଟ ଶୁଳ୍କ ଏବଂ ଜିଏସ୍ଟି ଇତ୍ୟାଦି ଅଲଗା ଭାବେ ଲାଗୁ କରାଯିବ। ଯାତ୍ରାର ପ୍ରଥମ କିମ୍ବା ଦ୍ୱିତୀୟ ପର୍ଯ୍ୟାୟ ଲାଗି ରିହାତି ଲାଗୁ କରାଯାଇ ପାରିବ। ଏହାବାଦ ଯାତ୍ରାର ମଧ୍ୟବର୍ତ୍ତୀ କାଳ କିମ୍ବା ସମ୍ପୂର୍ଣ୍ଣ ଯାତ୍ରା ପାଇଁ ଏହାକୁ ପ୍ରାପ୍ତ କରିହେବ। ସାପ୍ତାହିକ, ସାପ୍ତାହାନ୍ତ, ମାସିକ, ଋତୁକାଳୀନ, ବର୍ଷର ଏକ ଭାଗ କିମ୍ବା ବାର୍ଷିକ ପ୍ରାପ୍ତ କରାଯାଇ ପାରିବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି।