ଲକ୍ଷ୍ନୌ,୧୩।୬: ଅନନ୍ତନାଗ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଓ ଜଣଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏହାସହ ଯବାନଙ୍କ ସ୍ମୃତିରେ ଏକ ସଡ଼କର ନାମକରଣ ମଧ୍ୟ କରାଯିବ। ସୂଚନାଯୋଗ୍ୟ, ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ଗତ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ ସିଆର୍ପିଏଫ୍ର ୨ ଏଏସ୍ଆଇ ସମେତ ୫ ଯବାନ ଶହୀଦ ହୋଇଥିଲେ। ଆତଙ୍କବାଦୀମାନେ ଏମାନଙ୍କ ଉପରକୁ ଆଖିବାଜା ଗୁଳି ସହ ଗ୍ରେନେଡ ମାଡ କରିଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଉତ୍ତର ପ୍ରଦେଶର କେ. ସତେନ୍ଦ୍ର କୁମାର ଓ ମହେଶ କୁଶଓ୍ବାହ। ଏବେ ଏହି ଯବାନଙ୍କ ପରିବାରକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଯୋଗୀ ଘୋଷଣା କରିଛନ୍ତି।