ଶହୀଦନଗର ଦୁର୍ଗାପୂଜା ସମିତି:ତୋରଣରେ ଲକ୍ଷ୍ନୌ ରାଜପ୍ରାସାଦ

ଭୁବନେଶ୍ୱର,୧୭-୯(ବ୍ୟୁରୋ):ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତିରେ ନିଜକୁ ସାମିଲ କରିଛି ଭୁବନେଶ୍ୱରର ଅନ୍ୟତମ ପ୍ରମୁଖ ପୂଜାମଣ୍ଡପ ଶହୀଦନଗର। ଶହୀଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ଏବେ ସୁଦ୍ଧା ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ପାର୍ଶ୍ୱବର୍ତ୍ତୀ ମୂର୍ତ୍ତି ଓ ତୋରଣ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଲକ୍ଷ୍ନୌର ବିଖ୍ୟାତ ରାଜପ୍ରସାଦ ପ୍ରତିକୃତି ତୋରଣ ଶହୀଦନଗରରେ ଶୋଭାପାଇବାକୁ ଥିବାବେଳେ ଚାନ୍ଦିରେ ନିର୍ମିତ ମେଢ଼ ଓ ସୁନା, ରୁପା ଅଳଙ୍କାରରେ ସଜ୍ଜିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଏଠାକାର ପ୍ରମୁଖ ଆକର୍ଷଣ ସାଜିବ। ଏହାବ୍ୟତୀତ ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ପୂଜାମଣ୍ଡପର ଅନନ୍ୟ ଆକର୍ଷଣ ମଧ୍ୟରେ ରହିବ।
୪୧ବର୍ଷରେ ପଦାର୍ପଣ କରିଥିବା ଶହୀଦନଗର ପୂଜା ସମିତି ଏଥର ମା’ଙ୍କ ଅଳଙ୍କାର, ଲାଇଟ୍‌ ଡେକୋରେଶନ୍‌, ଭସାଣି ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଫୋକସରେ ରଖିଛି। ଚଳିତବର୍ଷ ଏଠାରେ ଲକ୍ଷ୍ନୌ ରାଜପ୍ରସାଦ ସଦୃଶ ତୋରଣ ନିର୍ମାଣ କରାଯିବାକୁ ଥିବାବେଳେ ଏହାର କାର୍ଯ୍ୟ ପ୍ରାୟ ଅଧାଅଧି ହେଲାଣି। ୭୦ଫୁଟ ଉଚ୍ଚତା ଏବଂ ୧୨୦ଫୁଟ ଓସାର ବିଶିଷ୍ଟ ଏହି ତୋରଣ କିଭଳି ଅନ୍ୟ ପୂଜାମଣ୍ଡପଗୁଡିକଠାରୁ ଭିନ୍ନ ଓ ଆକର୍ଷଣୀୟ ହେବ ସେଥିପାଇଁ ରାଜ୍ୟ ବାହାରୁ ଆସିଥିବା ସ୍ବତନ୍ତ୍ର ଡିଜାଇନର ଓ ୩୫ରୁ ଊର୍ଦ୍ଧ୍ୱ କାରିଗର ଜନ୍ମାଷ୍ଟମୀ ଠାରୁ ଦିନରାତି କାମରେ ଲାଗିଛନ୍ତି। ଫାଇବର, ବତି, ପ୍ଲାଏ ଓ ବାଉଁଶର ସୂକ୍ଷ୍ମ କାରୁକାର୍ଯ୍ୟ ଏହି ତୋରଣରେ ଦେଖିବାକୁ ମିଳିବ। ଏହାସହ ୩ କୁଇଣ୍ଟାଲ ଚାନ୍ଦିରେ ନିର୍ମିତ ମା’ଙ୍କର ଚାନ୍ଦିମେଢ଼ ଏବଂ ସୁନା ଓ ରୁପାରେ ନିର୍ମିତ ଅଳଙ୍କାର ଶହୀଦନଗର ମଣ୍ଡପର ଅନ୍ୟତମ ପ୍ରମୁଖ ଆକର୍ଷଣ ରହିବ। ଚଳିତବର୍ଷ ପ୍ରଥମଥର ପାଇଁ ଚାନ୍ଦି ପରିବର୍ତ୍ତେ ୨.୫ କିଲୋଗ୍ରାମ ସୁନାରେ ନିର୍ମିତ ମୁକୁଟ ମା’ଙ୍କ ମସ୍ତକରେ ଶୋଭାପାଇବ। ମା’ଙ୍କର ମୃଣ୍ମୟୀ ମୂର୍ତ୍ତି କଟକର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବାବେଳେ ଏଥର ଆଲୋକୀକରଣ ଓ ସାଜସଜ୍ଜା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ୬ଟି ବଡ଼ ବଡ଼ ଏଲ୍‌ଇଡି ଗେଟ୍‌ ସହ ୬୦ଟି ଷ୍ଟ୍ରକଚର୍‌ ଗେଟ୍‌ ଓ ରଙ୍ଗବେରଙ୍ଗ ଆଲୋକମାଳାରେ ସମଗ୍ର ଅଞ୍ଚଳକୁ ସଜାଯିବାକୁ ସ୍ଥିର ହୋଇଛି। ସବୁଠାରୁ ବଡକଥା ହେଲା, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡି କରାଯିବା ସହ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ। ଭକ୍ତମାନଙ୍କ ସୁରକ୍ଷା ଦୃଷ୍ଟିରୁ ସମିତି ତରଫରୁ ୧୦୦ଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ।

Share