ବରଗଡ଼ ଅଫିସ୍,୮।୪: ଚନ୍ଦକାସ୍ଥିତ ଏସ୍ଓଜି(ସ୍ପେଶାଲ ଅପରେଶନ ଗ୍ରୁପ) ଟ୍ରେନିଂ ସେଣ୍ଟରରେ ମଙ୍ଗଳବାର ଶହୀଦ୍ ହୋଇଥିବା କ୍ୟାଡର ଟ୍ରେନର ତଥା ଏସ୍ଓଜି ହାବିଲଦାର ପ୍ରକାଶ ସାହୁଙ୍କ ମରଶରୀର ବୁଧବାର ସକାଳେ ବରଗଡ଼ ଜିଲା ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ ପହଞ୍ଚିଛି। ଗ୍ରାମକୁ ଯିବା ରାସ୍ତାରେ ଶହୀଦ ପ୍ରକାଶଙ୍କୁ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ କଟାପାଲି ଗ୍ରାମ ଫାଟି ଉଠିଛି। ଅନ୍ତିମ ଦର୍ଶନ ପରେ ଶହୀଦ ପ୍ରକାଶଙ୍କୁ ପରିବାରବର୍ଗ ତଥା ଗ୍ରାମବାସୀ ଅଶ୍ରୂଳ ବିଦାୟ ଦେଇଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା ।
ପ୍ରକାଶ ଯେ, କଟାପାଲି ଗ୍ରାମର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଭରତ ସାହୁଙ୍କ ପୁଅ ପ୍ରକାଶ ଏସ୍ଓଜିରେ ଯୋଗଦେଇଥିଲେ। ସେ ଗୋଳାବାରୁଦ ଉପରେ ଯବାନମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ମଙ୍ଗଳବାର ପ୍ରଶିକ୍ଷଣ ଦେଉଥିବାବେଳେ ବିସ୍ଫୋରଣ ଘଟିଥିଲା। ଅନ୍ୟମାନଙ୍କୁ ବଞ୍ଚାଇବାକୁ ଯାଇ ସେ ଶହୀଦ୍ ହୋଇଥିଲେ ।