ବରଗଡ଼ ଅଫିସ,୧୨ା୪: ଚନ୍ଦକା ଏସ୍ଓଜି କ୍ୟାମ୍ପ୍ରେ ପ୍ରଶିକ୍ଷଣ ଦେଉଥିବାବେଳେ ଗତ ୭ ତାରିଖରେ ଶହୀଦ ହୋଇଥିବା ପ୍ରକାଶ ସାହୁଙ୍କ ପରିବାରବର୍ଗଙ୍କୁ ନବନିଯୁକ୍ତ ଡିଏସ୍ପିମାନେ ୧ଲକ୍ଷ ୫୫ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ପ୍ରାୟ ୪୮ଜଣ ନବନିଯୁକ୍ତ ଡିଏସ୍ପି ନିଜ ମଧ୍ୟରେ ତାହା ସଂଗ୍ରହ କରିଥିଲେ। ଡିଏସ୍ପି ଦିନେଶ ନାୟକ ଏବଂ ଅନ୍ୟମାନେ ବରଗଡ଼ ଜିଲା କଟାପାଲି ବାସଭବନରେ ପହଞ୍ଚି ଶହୀଦଙ୍କ ପତ୍ନୀ ଶାଶ୍ବତୀ ପ୍ରିୟଦର୍ଶିନୀଙ୍କୁ ତାହା ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଶହୀଦ ପ୍ରକାଶ ନବନିଯୁକ୍ତ ଡିଏସ୍ପିମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇ ଆସୁଥିଲେ। ତେବେ ଗତ ୭ତାରିଖରେ ଯବାନମାନଙ୍କୁ ହ୍ୟାଣ୍ଡ ଗ୍ରେନେଡ୍ ଉପରେ ପ୍ରଶିକ୍ଷଣ ଦେଉଥିବାବେଳେ ସଂଘଟିତ ବିସ୍ଫୋରଣରୁ ଅନ୍ୟ ଯବାନଙ୍କୁ ବଞ୍ଚାଇବାକୁ ଯାଇ ପ୍ରକାଶ ଶହୀଦ ହୋଇଥିଲେ।