ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନିଆଳି, ୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଓଡ଼ିଆ ଯବାନ କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ରତନପୁରର ମନୋଜ ବେହେରା ଶହୀଦ ହୋଇଥିଲେ। ଶହୀଦ ଦିବସ ଅବସରରେ ଶୁକ୍ରବାର ମନୋଜଙ୍କ ବାସଭବନ ଓ ଶ୍ମଶାନ ଘାଟରେ ତାଙ୍କର ଦୁଇଟି ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ସିଆରପିଏଫ୍‌ ଡିଆଇଜି ରାମ ଚରିତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବାସଭବନରେ ନିର୍ମିତ ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହା ସହ ମନୋଜଙ୍କ ବାପା ଜିତେନ୍ଦ୍ର ବେହେରା ଓ ମା’ ସାବିତ୍ରୀ ବେହେରାଙ୍କୁ ଶାନ୍ତ୍ୱନା ଦେଇଥିଲେ। ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ସ୍ଥାନୀୟ ସରପଞ୍ଚ ଅଭିନା ସାହୁ, ଜଟାଧାରୀ ସ୍ବାଇଁ, କେଦାରନାଥ ସାହୁ, ନିଆଳି ଥାନା ଆଇଆଇସି ବିଜୟ କୁମାର ମଲ୍ଲିକଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି ଶ୍ମଶାନ ଘାଟରେ ନିର୍ମିତ ହୋଇଥିବା ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତିକୁ ବିଧାୟକ ପ୍ରଫେସର ଡା.ପ୍ରମୋଦ କୁମାର ମଲ୍ଲିକ ଉନ୍ମୋଚନ କରିଥିଲେ। ଏଥିରେ ଆତ୍ମାର ଅଧ୍ୟକ୍ଷ ଆଦିତ୍ୟ ପାଣି, ଶିକ୍ଷାବିତ୍‌ ପ୍ରଦୀପ ଦାସ, ସରପଞ୍ଚ ରବୀନ୍ଦ୍ର ନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Share