‘ଶହୀଦ ମନୋଜ ଦେଶ ପାଇଁ ଗର୍ବ ଓ ଗୌରବ’

ନିମାପଡ଼ା,୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରା ଆମ ଦେଶ ପାଇଁ ଗର୍ବ ଓ ଗୌରବ ବୋଲି ଶୁକ୍ରବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ନିମାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଶହୀଦ ମନୋଜ ବେହେରାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଦାଶ ଏହା କହିଛନ୍ତି। ଆଜିର ଛାତ୍ର ଓ ଯୁବ ସମାଜ ମନୋଜଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କଲେ ରାଜ୍ୟ ଓ ଦେଶର ସ୍ବାଭିମାନ ବଜାୟ ରହିବ। ଛାତ୍ର ଓ ଯୁବ ସମାଜ ଆଗେଇ ଆସି ନିଷ୍ଠାର ସହ ଦେଶ ମାତୃକାର ସେବା କରିବାକୁ ସଙ୍କଳ୍ପବଦ୍ଧ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଦାଶ କହିଥିଲେ। ଏହି ସମାରୋହରେ ସମ୍ମାନିତ ଅତିଥିଭାବେ ସିଆରପିଏଫ୍‌ ଡିଆଇଜି ରାମ ଚରିତ୍ର, କଲେଜ ଅଧ୍ୟକ୍ଷ ରାଜକିଶୋର ରଥ, ପ୍ରଶାସନିକ ଅଧିକାରୀ ରାଜକିଶୋର ସାବୁତ, ଅଧ୍ୟାପକ ସୁବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଶହୀଦ ମନୋଜ ନିମାପଡ଼ା କଲେଜର ଛାତ୍ର ଓ ଏନ୍‌ସିସିର କ୍ୟାଡେଟ ଥିଲେ। ଅତିଥିଙ୍କ ସମେତ ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀମାନେ ଶହୀଦ ମନୋଜଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ନିମାପଡ଼ାର ବିଭିନ୍ନ ସ୍କୁଲ, କଲେଜର ଏନ୍‌ସିସି କ୍ୟାଡେଟ ଓ ଛାତ୍ରୀଛାତ୍ର ଏକ ଶୋଭାଯାତ୍ରାରେ ବାହାରି ଶହୀଦ ମନୋଜ ବେହେରା ଅମର ରହେ ବୋଲି ସ୍ଲୋଗାନ ଦେଇଥିଲେ।

Share