ନୂଆଦିଲ୍ଲୀ, ୩-୧୨: ଭାରତୀୟ ରେଲଓ୍ବେର ଆୟ ୧୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏହାର ଅପରେଟିଂ ରେସିଓ ବା ପରିଚାଳନା ଅନୁପାତ ୯୮.୪୪% ରହିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ରେଲଓ୍ବେ ପ୍ରତି ୧୦୦ ଟଙ୍କା ଆୟ କରିବା ଲାଗି ୯୮.୪୪ ଟଙ୍କା ଖର୍ଚ୍ଚ କରୁଛି। କମ୍ପ୍ଟୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ସୋମବାର ସଂସଦକୁ ଦେଇଥିବା ରିପୋର୍ଟରୁ ଏହା ସାମ୍ନାକୁ ଆସିଛି। ଏଥିରୁ ଅନୁମାନ କରିବା ସହଜଯେ,ରେଲଓ୍ବେର ପରିଚାଳନା ସ୍ଥିତି କିଭଳି ରହିଛି। ଏହି ସମୟରେ ରେଲଓ୍ବେ ୫୬୭୬.୨୯ କୋଟି ଟଙ୍କାର ନକରାତ୍ମକ ବାଲାନ୍ସ ସହ କାରବାର କରିଥିଲା। ଅପରପକ୍ଷରେ ଏନ୍ଟିପିସି ଏବଂ ଆଇଆର୍ସିଓଏନ୍ଠାରୁ ଲାଭ କରିଥିବା ଅଗ୍ରୀମଯୋଗୁ ଏହାର ବଳକା ଅର୍ଥ ୧୬୬୫.୬୧ କୋଟି ରହିଥିଲା। ଏହି ଅଗ୍ରୀମକୁ ଯଦି ବାଦ ଦିଆଯାଏ ତେବେ ପରିଚାଳନା ଅନୁପାତ ୧୦୨.୬୬%କୁ ବଢିଯିବ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ରେଲଓ୍ବେ ପାସେଞ୍ଜର ସେବା ଏବଂ ଅନ୍ୟ କୋଚିଂ ସେବା ପରିଚାଳନା କରିବା ଲାଗି ମଧ୍ୟ ସକ୍ଷମ ହେଉନାହିଁ।
ମାଲ ପରିବହନରୁ ଲାଭ କରୁଥିବା ମୋଟ ଅର୍ଥ ମଧ୍ୟରୁ ପାସେଞ୍ଜର ଏବଂ ଅନ୍ୟ କୋଚିଂ ସେବା ପରିଚାଳନା ଜନିତ କ୍ଷତିକୁ ଭରଣା କରିବା ଲାଗି ରେଲଓ୍ବେ ପ୍ରାୟ ୯୫% ଅର୍ଥ ଖର୍ଚ୍ଚ କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରେଲଓ୍ବେର ରାଜସ୍ବ ଆୟ, ପୁଞ୍ଜି ଖର୍ଚ୍ଚ ଲାଗି ଆୟ କ୍ରମାଗତ କମୁଛି। ୨୦୧୬-୧୭ରେ ନେଟ ବଳକା ରାଜସ୍ବ ୪୯୧୩.୦୦ କୋଟି ଟଙ୍କା ରହିଥିଲା। ଏହା ୨୦୧୭-୧୮ରେ ୬୬.୧୦% ହ୍ରାସ ଘଟି ୧୬୬୫.୬୧ କୋଟି ଟଙ୍କାକୁ ଖସିଛି। ରେଲଓ୍ବେର ମୋଟ ପୁଞ୍ଜି ଖର୍ଚ୍ଚକୁ ଆଭ୍ୟନ୍ତରୀଣ ସମ୍ବଳର ଅଂଶ ୨୦୧୭-୧୮ରେ ୩.୦୧% କମିଛି। ଅର୍ଥାତ ନିଜ ଖର୍ଚ୍ଚ ପାଇଁ ରେଲଓ୍ବେ ନିଜସ୍ବ ପୁଞ୍ଜି ଜୁଟାଇ ପାରୁ ନାହିଁ। ଏହା ଫଳରେ ବଜେଟ ସହାୟତା ଏବଂ ଅତିରିକ୍ତ ବଜେଟ ସହାୟତା ଉପରେ ରେଲଓ୍ବେକୁ ନିର୍ଭର କରିବାକୁ ପଡୁଥିବା ସିଏଜି କହିଛନ୍ତି।
ରେଲଓ୍ବେ ଏହାର ଆଭ୍ୟନ୍ତରୀଣ ରାଜସ୍ବକୁ ବଢାଇବା ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ସିଏଜି ପରାମର୍ଶ ଦେଇଛନ୍ତି। ଏହା ହେଲେ ପୁଞ୍ଜି ଜନିତ ନିର୍ଭରତା କମିବ। ୨୦୦୮-୦୯ ବର୍ଷ ପରଠାରୁ ରେଲଓ୍ବେର ପରିଚାଳନା ଅନୁପାତକୁ ଦେଖିଲେ ଏହା ପ୍ରାୟ ୯୦%ରୁ ଉଚ୍ଚରେ ରହିଛି। ଏହି ବର୍ଷ ଏହା ୯୦.୪୮% ରହିଥିଲା। ସେହିଭଳି ୨୦୦୯-୧୦ରେ ୯୫.୨୮%, ୨୦୧୦-୧୧ରେ ୯୪.୫୯%, ୨୦୧୧-୧୨ରେ ୯୪.୮୫%, ୨୦୧୨-୧୩ରେ ୯୦.୧୯%, ୨୦୧୪-୧୫ରେ ୯୧.୨୫%, ୨୦୧୫-୧୬ରେ ୯୦.୪୯% ଏବଂ ୨୦୧୬-୧୭ରେ ୯୬.୫୦% ରହିଛି। ସେହିଭଳି ରେଲଓ୍ବେ ପକ୍ଷରୁ ୨୦୧୭ରେ ଆରମ୍ଭ କରାଯାଇଥିବା ଗିଭ୍ ଇଟ୍ ସ୍କିମ୍ ଉତ୍ସାହଜନକ ହେଉ ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।