ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି

ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛି। ଏଠାରେ ଟ୍ରାଇ ସାଇକେଲରେ ଭିକମାଗି ପେଟ ପୋଷୁଥିବା ରାଜୁ ନାମକ ଜଣେ ଭିକାରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ଭିକ୍ଷା କରିବା ପରେ ସେ ନିଜର ଖର୍ଚ୍ଚ ରଖି ବାକି ସମସ୍ତ ଅର୍ଥକୁ ଅନ୍ୟମାନଙ୍କୁ ଦାନ କରିଦେଉଥିବା କହିଛନ୍ତି। କରୋନା ସଙ୍କଟ ସମୟରେ ସେ ପାଖାପାଖି ୧ଶହ ଅଭାବି ପରିବାରକୁ ଏକ ମାସର ରାଶନ ଦାନ କରିଥିବା କହିଛନ୍ତି। ଏହାସହ ଗରିବ ଲୋକଙ୍କ ମଧ୍ୟରେ ପାଖାପାଖି ୩ ହଜାର ମାସ୍କ ବାଣ୍ଟିଥିବା କୁହନ୍ତି। ରାଜୁଙ୍କର ଏହି ବଦାନ୍ୟତା ପାଇଁ ତାଙ୍କୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି। ସେ କୁହନ୍ତି ଭିକ ମାଗି ପାଖରେ ପ୍ରାୟ ୮୦ ହଜାର ଟଙ୍କା ସଞ୍ଚୟ କରି ରଖିଥିବା ବେଳେ ସେ ଏବେ ସେହି ଟଙ୍କାରେ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି। କେବଳ ଲକ୍‌ଡାଉନ ସମୟରେ ନୁହେଁ ଏହା ପୂର୍ବରୁ ମଧ୍ୟ ରାଜୁ କେତେଜଣ ଗରିବ ପିଲାଙ୍କ ସ୍କୁଲ ଫି ଦେବା ସହ ପ୍ରାୟ ୨୨ ଜଣ ଗରିବ ଝିଅଙ୍କ ବିବାହ ମଧ୍ୟ କରିଛନ୍ତି। ରାଜୁ କୁହନ୍ତି ସେ ଭିକ ମାଗୁଥିବାରୁ ତାଙ୍କ ସମ୍ପର୍କୀୟମାନେ କେହି ତାଙ୍କ ସହ ସମ୍ପର୍କ ରଖିନାହାନ୍ତି। ତେଣୁ ସେ ଏମିତି କାମରେ ତାଙ୍କ ଉପାର୍ଜିତ ଅର୍ଥକୁ ଖର୍ଚ୍ଚ କରୁଛନ୍ତି। ଅତିକମ୍‌ରେ ସେ ମରିଯିବା ପରେ ତାଙ୍କ ମୃତଦେହକୁ ଅନାଥ ଭଳି ଫିଙ୍ଗି ନ ଦେଇ କାନ୍ଧରେ ନେବାକୁ କେହିତ ଆଗେଇ ଆସିବେ ବୋଲି ସେ କହିଛନ୍ତି।

Share