ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଇନ୍ଦିରା ଗାନ୍ଧୀ, ଅମୃତ କୌର

ଓ୍ବାଶିଂଟନ,୭।୩: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ସ୍ବାଧିନତା ସଂଗ୍ରାମୀ ଅମୃତ କୌରଙ୍କୁ ଟାଇମ୍‌ ମାଗାଜିିନର ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି। ଟାଇମ୍‌ ମାଗାଜିନ୍‌ ଦ୍ୱାରା ୧୯୪୭ ଓ ୧୯୭୬ ପାଇଁ କ୍ରମଶଃ ଅମୃତ କୌର ଓ ଇନ୍ଦିରା ଗାନ୍ଧୀଙ୍କୁ ଓମେନ ଅଫ୍‌ ଦ ଇୟର ଦର୍ଶାଇ ଏକ ବିଶେଷ ସଂସ୍କରଣ ପ୍ରକାଶ କରିଛି। ଟାଇମର କର୍ମଚାରୀ ଓ ବିଶେଷଜ୍ଞଙ୍କ ଦ୍ୱାରା କିଛି ମାସ ଧରି କରାଯାଇଥିବା ପ୍ରକ୍ରିୟା ପରେ ୬ଶହ ଆବେଦନରୁ ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୭୨ ବର୍ଷ ହେବ ଟାଇମ ମାଗାଜିନ ‘ମ୍ୟାନ ଅଫ ଦି ଇୟର’ପ୍ରକାଶିତ କରୁଥିଲେ। ଯେଉଁଥିରେ ବହୁ ପ୍ରଭାବଶାଳୀ ପୁରୁଷ ଯେମିତିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉଦ୍ଦ୍ୟୋଗପତି ଆଦିଙ୍କୁ ସାମିଲ କରାଯାଉଥିଲା। ୧୯୯୯ରେ ଏହାକୁ ପରିବର୍ତ୍ତନ କରାଯାଇ ‘ପର୍ସନ ଅଫ୍‌ ଦ ଇୟର’ କରାଗଲା। ଏବେ ଏହି ମାଗାଜିନ ଶହେ ପ୍ରଭାବଶାଳୀ ମହିଳାଙ୍କୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି ଯେଉଁମାନଙ୍କର ବ୍ୟକ୍ତିତ୍ୱ ଆଢୁଆଳରେ ରହିଯାଉଥିଲା। ଯେଉଁ ପଦପାଇଁ କେବଳ ପୁରୁଷଙ୍କୁ ବଛା ଯାଉଥିଲା ଏବେ ସେହି ସ୍ଥାନରେ ମହିଳାମାନେ ମଧ୍ୟ ଅଧିଷ୍ଠିତ ହେଲେଣି। ଏବେ ପ୍ରକାଶିତ ଶହେ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଡିଜାଇନର କୋକୋ ଚେନଲ, ଲେଖିକା ବର୍ଜିନା ବୁଲ୍‌ଫ, ମହାରାଣୀ ଏଲିଜାବେଥ, ଅଭିନେତ୍ରୀ ମାର୍ଲିନ ମୋନରୋ, ରାଜକୁମାରୀ ଡାଏନା, ଚାଇନା ଫାର୍ମାସିଷ୍ଟ ଟୁ ୟୁୟୁ ଓ ଆମେରିକାର ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି।

Share