ଶାନ୍ତିସ୍ତୂପରେ କମଲ ହାସନ

ପୁରୁଣା ଭୁବନେଶ୍ୱର,୧୯ା୧୧(ଡି.ଏନ.ଏ.): କନ୍ନଡ ଫିଲ୍ମ ସୁପରଷ୍ଟାର ତଥା ରାଜନେତା କମଲ ହାସନ ସୋମବାର ଅପରାହ୍ନରେ ହଠାତ୍‌ ଶାନ୍ତିସ୍ତୂପ ଧଉଳି ବୁଲିବାକୁ ଆସିଥିଲେ। ପ୍ରଥମେ ସେ ଅଶୋକଙ୍କ ଶିଳାଲିପି ବୁଲିବା ଦେଖିବା ସହ ଏହାର ଐତିହାସିକ କଥାବସ୍ତୁ ପଚାରି ବୁଝିଥିଲେ। କଳିଙ୍ଗ ଓ ମଗଧର ଯୁଦ୍ଧ ତଥା ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିବା ଅଶୋକଙ୍କ ବିଷୟରେ ଅନେକ କିଛି ସେ ଜାଣିବାକୁ ପାଇଥିଲେ। ଅତୀତର ଲିଖିତ ଶିଳାଲିପି ଏବଂ ମୁକସାଖୀ ପାହାଡର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ। ଶେଷରେ ଶାନ୍ତିସ୍ତୂପରେ ଭଗବାନ ବୁଦ୍ଧଙ୍କ ଦର୍ଶନ କରିବା ସହ ଚର୍ତୁଃପାର୍ଶ୍ୱ କାରୁକାର୍ଯ୍ୟ ବୁଲି ଦେଖିଥିଲେ। ଏହି ଅବସରରେ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ କୁମାର ଦେବ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସି, ସ୍ଥାନୀୟ ଟ୍ୟୁରିଷ୍ଟ ଅଫିସର ଅଜୟ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share