Categories: ଖେଳ

ଶାମିଙ୍କ ନୂଆ ରେକର୍ଡ

ମୁମ୍ବାଇ,୩ା୧୧:ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଏକ ନୂଆ ରେକର୍ଡ ନିଜ ନାମରେ କରିଛନ୍ତି। ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ୫ ଉଇକେଟ ନେବା ସହିତ ସେ ଭାରତୀୟ ବୋଲରଙ୍କ ମଧ୍ୟରେ ବିଶ୍ୱକପରେ ସର୍ବାଧିକ ଉଇକେଟ ନେବାର ରେକର୍ଡ କରିଛନ୍ତି। ଜାଭାଗଲ ଶ୍ରୀନାଥ ଓ ଜାହିର ଖାନ୍‌ ସମାନ ୪୪ ଉଇକେଟ ନେଇଥିଲେ ମଧ୍ୟ ଶାମି ଏହି ମ୍ୟାଚ୍‌ରେ ତାଙ୍କୁ ଅତିକ୍ରମ କରିଛନ୍ତି। ଏହି ମ୍ୟାଚ୍‌ ପୂର୍ବରୁ ଜାହିର ଓ ଶ୍ରୀନାଥଙ୍କ ସମକକ୍ଷ ହେବା ପାଇଁ ଶାମିଙ୍କୁ ୪ ଉଇକେଟର ଆବଶ୍ୟକତା ରହିଥିଲା। ଜାହିର ୨୩ ମ୍ୟାଚ୍‌ ଖେଳି ଓ ଶ୍ରୀନାଥ ୩୪ ମ୍ୟାଚ୍‌ ଖେଳି ୪୪ ଉଇକେଟ ନେଇଥିବା ବେଳେ ଶାମି ମାତ୍ର ୧୪ ମ୍ୟାଚ୍‌ରେ ତାଙ୍କୁ ଅତିକ୍ରମ କରିଛନ୍ତି। ବିଶ୍ୱକପ ପୂର୍ବରୁ ଶାମି ୧୧ ମ୍ୟାଚ୍‌ରୁ ୩୧ ଉଇକେଟ ନେଇ ଅନୀଲ କୁମ୍ବଲେଙ୍କ ରେକର୍ଡର ସମକକ୍ଷ ହୋଇଥିଲେ। ପ୍ରଥମ ୪ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳି ନ ଥିବା ବେଳେ ଧର୍ମଶାଳାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ୫ ଉଇକେଟ ନେଇଥିବା ବେଳ ପରବର୍ତ୍ତୀ ମ୍ୟାଚରେ ୪ ଉଇକେଟ ନେଇଥିଲେ। ମୁମ୍ବାଇରେ ଗୁରୁବାର ନିଜ କ୍ୟାରିୟର ଶ୍ରେଷ୍ଠ ବୋଲିଂ କରିବା ସହିତ ଶାମି ଚତୁର୍ଥ ଥର ପାଇଁ ୫ ଉଇକେଟ ସଫଳତା ହାସଲ କରିଥିଲେ। ଏହା ସହ ଜାଭାଗଲ ଶ୍ରୀନାଥଙ୍କୁ ସେ ପଛରେ ପକାଇଛନ୍ତି। ଚଳିତ ବିଶ୍ୱକପର ତୃତୀୟ ମ୍ୟାଚରେ ଏହା ଶାମିଙ୍କ ଦ୍ୱିତୀୟ ୫ ଉଇକେଟ ସଫଳତା। ୩ ମ୍ୟାଚ୍‌ରୁ ୧୪ ଉଇକେଟ ନେଇ ଚଳିତ ବିଶ୍ୱକପର ସର୍ବାଧିକ ଉଇକେଟ ହାସଲକାରୀ ବୋଲରଙ୍କ ମଧ୍ୟରେ ୬ ନମ୍ବର ସ୍ଥାନରେ ରହିଛନ୍ତି ଶାମି।

Share